ଭାରତ ସରକାରଙ୍କ ବିରୋଧରେ ସାମ୍ବାଦିକଙ୍କ ଷଡ଼ଯନ୍ତ୍ର
'ଅପରେସନ ସିନ୍ଦୂର' କୁ ସୋସିଆଲ ମିଡ଼ିଆରେ କରୁଥିଲେ ସମାଲୋଚନା
ଗିରଫ କଲା ପୋଲିସ
ନୂଆଦିଲ୍ଲୀ, ୦୯/୦୫: ‘ଅପରେସନ ସିନ୍ଦୂର’ ଅଧିନରେ ଭାରତ ସରକାର ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତି ସମୟରେ ଭାରତ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଯୁଦ୍ଧକୁ ଆହୁରି ଉସୁକେଇବା ଭଳି ଅଭିଯୋଗରେ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଛି।
ମହାରାଷ୍ଟ୍ରର ନାଗପୁରରେ ଜଣେ ଛାତ୍ର କର୍ମୀ ଏବଂ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଉକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ରେଜାଜ ଏମ୍ ଶୀବା ସିଦ୍ଦିକି ତାଙ୍କ ଘର କେରଳର ଏର୍ଣ୍ଣାକୁଲମ। ସେ ନାଗପୁରରେ ପେଇଂ ଗେଷ୍ଟ ଭାବେ ରହୁଥିଲେ। ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ମଧ୍ୟ ପୃଥକ ଭାବେ ଗିରଫ କରାଯାଇଛି।
ଲକଡ଼ଗଞ୍ଜ ଥାନାରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ସିଦ୍ଦିକ ନିକଟରେ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ ‘ଅପରେସନ ସିନ୍ଦୁର’କୁ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧୀ ଅଭିଯାନକୁ ସମାଲୋଚନା କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୪୯, ଧାରା ୧୯୨, ଧାରା ୩୫୧ ଏବଂ ଧାରା ୩୫୩ ସମେତ ଅନେକ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।
ତଦନ୍ତ ବେଳେ ସିଦ୍ଦିକ ପାଖରୁ ପୂର୍ବରୁ ନକ୍ସଲବାଦ ସହ ସଂପୃକ୍ତି ଅଭିଯୋଗରେ ବିଚାରାଧୀନ ପ୍ରଫେସର ଜିଏନ୍ ସାଇବାବାଙ୍କ ଉପରେ ଏକ ପୁସ୍ତକ ଏବଂ ମାର୍କ୍ସବାଦ-ଲେନିନବାଦ ଉପରେ ଏକ ପୁସ୍ତକ ମିଳିଥିଲା। ତାଙ୍କ ନିକଟରୁ ନକ୍ସଲ ବିରୋଧୀ ଅଭିଯାନକୁ ସମାଲୋଚନା କରିବା ଭଳି ଏକ ଚିଠି ମିଳିଥିଲା।
ସିଦ୍ଦିକିଙ୍କ ସହ ସଂପୃକ୍ତ ଥିବା ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଆସୋସିଏସନ୍ ର କେରଳ ରାଜ୍ୟ କମିଟି ସଦସ୍ୟା ନିହାରିକା ପ୍ରଦୌଷଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ କିଛି ବନ୍ଦୀ ଥିବା ସାମ୍ବାଦିକମାନଙ୍କୁ ମୁକ୍ତ କରିବା ଦାବିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିଦ୍ଦିକ ଜଣେ ଲେଖକ ଭାବରେ “ମକତୁବ ମିଡିଆ” ଏବଂ “ଦ ଅବଜର୍ଭର ପୋଷ୍ଟ” ଭଳି ପ୍ଲାଟଫର୍ମରେ କାମ କରନ୍ତି।
କିନ୍ତୁ ସୂଚନା ମୁତାବକ, ମକତୁବ ମିଡ଼ିଆ ହେଉଛି ସେହି ପ୍ଲାଟଫର୍ମ ଭିତରୁ ଗୋଟିଏ, ଯାହାକୁ ନିକଟରେ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ୟାନର କରିଥିଲେ। ସରକାର ଦେଶରେ ୮,୦୦୦ରୁ ଅଧିକ ଆକାଉଣ୍ଟକୁ ବ୍ଲକ କରାଯାଇଥିଲା।