ନୂଆଦିଲ୍ଲୀ, ୧୪/୦୫: ଛତିଶଗଡ଼-ତେଲେଙ୍ଗାନା ସୀମାରେ ଚାଲିଥିବା ଅପରେସନ ବ୍ଲାକ-ଫରେଷ୍ଟ ସଫଳ ହୋଇଛି। ଏହି ସୀମାର କରେଗୁଟ୍ଟା ଜଙ୍ଗଲରେ କୋରାଗୋଟାଲୁ ପାହାଡ଼ ଅଞ୍ଚଳରେ ୨୧ ଦିନ ଧରି ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନରେ ନିପାତ ହୋଇଛନ୍ତି ୩୫ ମାଓବାଦୀ। ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା ମାଓବାଦୀ ଅଛନ୍ତି। ୨୮ ଜଣଙ୍କ ପରିଚୟ ମିଳିଛି। ଏଥିସହ ଅନେକ ନକ୍ସଲ ଶିବିର ଧ୍ୱଂସ ହୋଇଯାଇଛି।
ଏପ୍ରିଲ୍ ୨୧ରୁ ମେ ୧୧ ପର୍ଯ୍ୟନ୍ତ ଏହି ଅପରେସନ ଚାଲିଥିଲା। ୧୨୦୦ ବର୍ଗ କିଲୋମିଟର ଅଞ୍ଚଳରେ ଏହି ଅପରେସନ ଚାଲିଥିଲା। ଏହି ବ୍ଲାକ-ଫରେଷ୍ଟ ଅପରେସନରେ କୋବ୍ରା, ସିଆରପିଏଫ ଓ ଛତିଶଗଡ଼ ପୋଲିସର ମିଳିତ ଟିମ୍ ସାମିଲ ଥିଲା।
ଛତିଶଗଡ ଡିଜିପି ଅରୁଣ ଦେବ ଗୌତମ କହିଛନ୍ତି ଯେ, ଏହି ଅପରେସନ ସମୟରେ ଆମେ ଟାର୍ଗେଟ ଠାରୁ ଅଧିକ ଲକ୍ଷ୍ୟ ହାସଲ କରିଛୁ। ଚଳିତ ବର୍ଷ ଏହି ଅପରେସନରେ ମୋଟ ୧୯୭ ନକ୍ସଲ ନିହତ ହୋଇଛନ୍ତି। ନକ୍ସଲଙ୍କ ବିରୋଧରେ ଏହା ହେଉଛି ସବୁଠାରୁ ବଡ଼ ଅପରେସନ୍। ଏତେ ବଡ଼ ମାଓ ଦମନ ଅପରେସନ ପୂର୍ବରୁ କେବେ ହୋଇନାହିଁ। ଏହି ଅପରେସନ୍ ସମୟରେ ନକ୍ସଲଙ୍କ ଦ୍ୱାରା ଅସ୍ତ୍ରଶସ୍ତ୍ର ତିଆରି କରାଯାଉଥିବା ୪ଟି କାରଖାନା ଠାବ ହୋଇଥିଲା। ଏହି ଅପରେସନ ସମୟରେ ୪୫୦ରୁ ଅଧିକ ଆଇଇଡି ଓ ପ୍ରାୟ ୧୨ ହଜାର କେଜି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି।
ନକ୍ସଲ ମାନେ ଏଠାରେ ୧୫୦ରୁ ଅଧିକ ବଙ୍କର ତିଆରି କରି ରହୁଥିଲେ। ଏସବୁକୁ ସୁରକ୍ଷାବାହିନୀ ପକ୍ଷରୁ ଧ୍ୱଂସ କରାଯାଇଛି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓ ଦମନ ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ଡେଡଲାଇନ ଦେଇଛନ୍ତି। ୨୦୨୬ ସୁଦ୍ଧା ଆମେ ଦେଶକୁ ନକ୍ସଲ ମୁକ୍ତ କରିବାକୁ ଚେଷ୍ଟା କରୁଛୁ। ଦେଶରେ ନକ୍ସଲ ପ୍ରଭାବିତ ଅଞ୍ଚଳ ସଂଖ୍ୟା ୧୨୬ରୁ ଏବେ ମାତ୍ର ୧୮କୁ ଖସିଛି। ୨୦୨୫ରେ ଏପର୍ଯ୍ୟନ୍ତ ୭୧୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ଡିଜିପି କହିଛନ୍ତି।