ମିଶନ ଶକ୍ତି ଆନୁକୂଲ୍ୟରେ ଅନୁଷ୍ଠିତ ହେବ ‘ସିନ୍ଦୂର ଯାତ୍ରା’
ଅପରେସନ ସିନ୍ଦୂରରେ ବୀର ଯବାନ ମାନଙ୍କ ଧୈର୍ଯ୍ୟ ଓ ଅଦମ୍ୟ ସାହସକୁ ଦିଆଯିବ ସମ୍ମାନ
ଭୁବନେଶ୍ୱର, ୧୫/୦୫: ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖ ଅପରାହ୍ନ ୫ ଘଟିକାରେ ‘ଅପରେସନ ସିନ୍ଦୁର’ ରେ ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ସାହସକୁ ସମ୍ମାନ ଜଣାଇ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ସିନ୍ଦୂର ଯାତ୍ରା”ର ଆୟୋଜନ କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗିରିଦୁର୍ଗା ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ମାନ୍ୟବର ମନ୍ତ୍ରୀବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଓଡିଶାର ପ୍ରମୁଖ ମହିଳା ବ୍ୟକ୍ତିତ୍ୱ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିବେ। ଏହି ପଦଯାତ୍ରାରେ ସମସ୍ତ କ୍ଷେତ୍ରରୁ ମହିଳାମାନେ ସାମିଲ ହେବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହ୍ଵାନ ଦେଇଛନ୍ତି।