ନୂଆଦିଲ୍ଲୀ, ୧୫/୦୫: ନିକଟରେ ଦୋହାରେ ଆୟୋଜିତ ବିଜନେସ ପ୍ରୋଗ୍ରାମରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଆପଲର ଉତ୍ପାଦନ ବୃଦ୍ଧି ନ କରିବାକୁ ସିଇଓ ମିମ୍ କୁକଙ୍କୁ କହିଛନ୍ତି। ଏ ନେଇ ବ୍ଲୁମବର୍ଗରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଉଲ୍ଲେଖ ଅଛି ଯେ, ଟ୍ରମ୍ପ ଆପଲ୍ ସିଇଓ ଟିମ୍ କୁକଙ୍କ ସହ କଥା ହୋଇଛନ୍ତି ଏବଂ ଭାରତରେ ଆପଲ୍ ର ଉତ୍ପାଦନ ବୃଦ୍ଧି ନ କରିବାକୁ କହିଛନ୍ତି।
“ଭାରତରେ ଆପଣଙ୍କ ଆପଲ କମ୍ପାନୀର ଉତ୍ପାଦନ ବୃଦ୍ଧି କରିବାକୁ ଆମେ ଆଗ୍ରହୀ ନୁହଁ। ସେମାନେ ନିଜ କାମ ନିଜେ କରିପାରିବେ, ସେମାନେ ବହୁତ ଭଲ କାମ କରୁଛନ୍ତି। ତାଙ୍କ କଥାବାର୍ତ୍ତା ପରେ ଆପଲ ଆମେରିକାରେ ଏହାର ଉତ୍ପାଦନ ବଢ଼ାଇବ” ବୋଲି ଟ୍ରମ୍ପ କହିଛନ୍ତି।
ଦୋହାରେ ସେହି ଭାଷଣରେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ହଟାଇବାକୁ ପ୍ରସ୍ତାବ ଦେଇଛି। ସେମାନେ ଆମଠାରୁ କୌଣସି ଶୁଳ୍କ ଆଦାୟ କରିବାକୁ ଇଚ୍ଛୁକ ନୁହଁନ୍ତି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଭାରତର ବାଣିଜ୍ୟ ମନ୍ତ୍ରୀ ମେ ୧୭ରୁ ୨୦ ମଧ୍ୟରେ ଆମେରିକୀୟ ଅଧିକାରୀଙ୍କ ସହ ବାଣିଜ୍ୟ ଚୁକ୍ତିନାମା ପାଇଁ ଆମେରିକା ଗସ୍ତ କରିପାରନ୍ତି। ତେବେ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟ ଭାରତୀୟ ଅଧିକାରୀଙ୍କୁ ନିରାଶ କରିଛି।
ଗତ କିଛି ବର୍ଷ ଧରି ଆପଲ ଭାରତରେ ଏହାର ଉତ୍ପାଦନ କ୍ରମାଗତ ଭାବରେ ବୃଦ୍ଧି କରୁଛି। କମ୍ପାନୀ ଫକ୍ସକନ୍ ଏବଂ ୱିଷ୍ଟ୍ରୋନ୍ ଭଳି ଚୁକ୍ତିଭିତ୍ତିକ ନିର୍ମାତା ଙ୍କ ଜରିଆରେ ଦେଶରେ ଅନେକ ଆଇଫୋନ୍ ମଡେଲ୍ ପ୍ରସ୍ତୁତ କରୁଛି।