ଫେଲ ମାରିଲା ଇସ୍ରୋର PSLV- C61/EOS-09 ଲଞ୍ଚିଂ

୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା ଇସ୍ରୋ

ନୂଆଦିଲ୍ଲୀ ୧୮/୦୫: ଇସ୍ରୋକୁ ଶକ୍ତ ଝଟକା। ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲଭି-ସି୬୧) ଅଭିଯାନ ଫେଲ ମାରିଛି। ରବିବାର ସକାଳେ ପ୍ରୋପଲ୍ସନ୍ ସିଷ୍ଟମ୍ ରେ ଅନିୟମିତତା ଯୋଗୁଁ ଇଓଏସ୍-୦୯ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଛି। ଲଞ୍ଚିଂ ବେଳେ ତୃତୀୟ ସୋପାନରେ ବାଧା ଉପୁଜିଥିଲା। ୧୦୧ ତମ ସାଟେଲାଇଟ ଲଞ୍ଚ କରିଥିଲା। ହେଲେ, ଏହା ଅସଫଳ ହେବାର ଘୋଷଣା କରିଛନ୍ତି ଇସ୍ରୋ ମୁଖ୍ୟ ଡ଼ଃ ଭି ନାରାୟଣନ।

ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତୀୟ ସମୟ ସକାଳ ୫ଟା ୫୯ମିନିଟରେ ଏହି ରକେଟ୍ ଉଡ଼ାଣ ଭରିଥିବା ବେଳେ ପିଏସ୍-୩ ସଲିଡ୍ ରକେଟ୍ ମୋଟର ପର୍ଯ୍ୟାୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ଇସ୍ରୋର ଏହି ଅଭିଯାନ ଶେଷ ହୋଇ ପାରିଲା ନାହିଁ।

ସି-ବ୍ୟାଣ୍ଡ ସିନ୍ଥେଟିକ୍ ଆପର୍ଚର୍ ରାଡାର (ଏସ୍ଏଆର) ବ୍ୟବହାର କରି ଏହା ସମସ୍ତ ପାଣିପାଗ ସ୍ଥିତି, ଦିବାରାତ୍ର ସମୟର ଫଟୋ ଉତ୍ତୋଳନ, ପାଣିପାଗ ସମ୍ପର୍କିତ ସୂଚନା ଆଦି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିବା ୧,୬୯୬ କିଲୋଗ୍ରାମ୍ ର ଇଓଏସ୍-୦୯ ଉପଗ୍ରହ ଏହାର ଧାର୍ଯ୍ୟ ୫୨୪ କିଲୋମିଟର ସୂର୍ଯ୍ୟ-ସିନକ୍ରୋନସ୍ ମେରୁ କକ୍ଷପଥରେ ପହଞ୍ଚିଥାନ୍ତା। C-band, SAR ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଏହାର ନିର୍ମାଣ ହୋଇଥିଲା। ବନ୍ୟା ସମୟର ସୂଚନା ପାଇଁ ମଧ୍ୟ ରିଅଲ ଟାଇମ୍ ଆପ୍ଲିକେସନ ଏଥିରେ ରହିଥିଲା।

୨୦୧୭ ରୁ କ୍ରମାଗତ ୫୮ଟି ସଫଳତାର ସହ ଉତକ୍ଷେପଣ ପରେ ପିଏସଏଲଭି-ସି୬୧ ମିଶନ ଇସ୍ରୋର ୧୦୧ତମ ଲଞ୍ଚିଂ ଥିଲା। ଯାହା ବିଫଳ ହୋଇଛି।