ବିକାନେର ଏୟାରବେସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ପାକିସ୍ତାନଠୁ ମାତ୍ର ୧୫୦ କିମି ଦୂର

ନୂଆଦିଲ୍ଲୀ, ୨୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ତାରିଖରେ ରାଜସ୍ଥାନ ଗସ୍ତକରି ବିକାନେରର ଦେଶନୋକରେ ୨୬ ହଜାର କୋଟିରୁ ଅଧିକ ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିବେ। ଏହି ଅବସରରେ ମୋଦି ପାକିସ୍ତାନଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ଥିବା ବିକାନେରରେ ଭାରତୀୟ ବାୟୁସେନାର ନାଲ ଏୟାରବେସ୍ ପରିଦର୍ଶନ କରିବେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଅପରେସନ ସିନ୍ଦୁରରେ ଆତଙ୍କୀ ଆଡ୍ଡା ଧ୍ୱଂସ ହେବା ପରେ ଦ୍ୱିତୀୟ ଥର ପାଇଁ କୌଣସି ଏୟାରବେସ ଗସ୍ତ କରିବେ। ଏହା ପୂର୍ବରୁ ମେ ୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବର ଆଦମପୁର ଏୟାରବେସ୍ ପରିଦର୍ଶନ କରିଥିଲେ। ଅପରେସନ ସିନ୍ଦୁରରେ ଭାଗ ନେଇଥିବା ପାଇଲଟ ଏବଂ ଯବାନଙ୍କୁ ଭେଟିଥିଲେ। ଭାରତ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବା ପରେ ମେ ୯-୧୦ ରାତିରେ ଭାରତୀୟ ବାୟୁସେନାର ଯେଉଁ ୪ଟି ଷ୍ଟେସନକୁ ପାକିସ୍ତାନ ଟାର୍ଗେଟ କରିଥିଲା ସେଥିମଧ୍ୟରୁ ଆଦମପୁର ଓ ବିକାନେରର ନାଲ ଏୟାରବେସ ଅନ୍ୟତମ।