ନୂଆଦିଲ୍ଲୀ, ୨୭/୦୫: ଚଳିତ ଥର ମୌସୁମୀ ଶୀଘ୍ର ଆସିଥିବା ବେଳେ ଜୁନ୍-ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀରେ ସାରା ଦେଶରେ ପ୍ରାୟ ୯୨ ସେଣ୍ଟିମିଟର ବା ୧୦୬% ବର୍ଷା ହେବ ବୋଲି ଆକଳନ କରାଯାଇଛି। ତେବେ ଏପ୍ରିଲରେ ଆଇଏମଡି ୯୧.୩ ସେମି ବା ୧୦୫% ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିଲା।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦେଶର ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ ଅଞ୍ଚଳକୁ ବାଦ୍ ଦେଲେ ଅଧିକାଂଶ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। କେବଳ ଜୁନ୍ ମାସରେ ଦେଶରେ ହାରାହାରି ୧୬.୭ ସେଣ୍ଟିମିଟର ବା ୮% ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥର ଆଗୁଆ ମୌସୁମୀ ଆସିବାର କାରଣ ହେଉଛି ମୌସୁମୀ ପୂର୍ବରୁ ଲଘୁଚାପ, ତିବ୍ବତୀୟ ମାଳଭୂମିରେ ଉତ୍ତାପ।
ମୌସୁମୀ ଚଳିତ ବର୍ଷ ଜୁନ୍ ପହିଲାରେ ସ୍ବାଭାବିକ ଭାବେ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ମେ ୨୪ ତାରିଖରେ କେରଳରେ ପହଞ୍ଚିଛି। ସେହିପରି ୩୫ ବର୍ଷର ରେକର୍ଡ ଭାଙ୍ଗି ମେ ୨୬ ତାରିଖରେ ମୁମ୍ବାଇରେ ପହଞ୍ଚିଛି। ଦିଲ୍ଲୀରେ ଜୁନ୍ ଶେଷ ସପ୍ତାହ ଆଡକୁ ମୌସୁମୀ ପହଞ୍ଚିବ। କେନ୍ଦ୍ରୀୟ ଭାରତ, ଓଡ଼ିଶା ଏବଂ ରାଜସ୍ଥାନର କେତେକ ଅଞ୍ଚଳରେ – ଯାହାକୁ ‘କୋର୍ ଜୋନ୍’ କୁହାଯାଏ, ସେଠାରେ ମଧ୍ୟ ସ୍ୱାଭାବିକ ଠାରୁ ୬% ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ଚାଷ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭରଶୀଳ, ତେଣୁ ଏହାକୁ କୋର୍ ଜୋନ କୁହାଯାଏ। ସେହିପରି ଓଡ଼ିଶା ଓ କେନ୍ଦ୍ରୀୟ ଭାରତରେ ଆହୁରି ୪ ଦିନ ଏପରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି କହିଛନ୍ତି।