ସ୍ଥାନୀୟ ପାଣିପାଗ ସ୍ଥିତି ଅନୁସାରେ ବ୍ୟାପେ ଯକ୍ଷ୍ମା ରୋଗ
ଯକ୍ଷ୍ମା ରୋଗକୁ ନେଇ ରିସର୍ଚ୍ଚ: ଆସିଲା ବଡ଼ ତଥ୍ୟ
ଜାଣନ୍ତୁ କେଉଁ ସମୟରେ ବେଶୀ ହୁଏ ଯକ୍ଷ୍ମା ରୋଗ
ନୂଆଦିଲ୍ଲୀ, ୨୭/୦୫: ଆଫ୍ରିକୀୟ ଦେଶମାନଙ୍କରେ ଯକ୍ଷ୍ମା ମାମଲାକୁ ନେଇ ରିସର୍ଚ୍ଚ କରିବା ବେଳେ ସାମନାକୁ ଆସିଛି ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ। ପାଣିପାଗ ପରିସ୍ଥିତି ଓ ପରିବର୍ତ୍ତନ କିପରି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ତାହା ଏଥିରେ ଉଲ୍ଲେଖ ରହିଛି। ଏହି ଗବେଷଣା ଦ୍ୱାରା ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ସ୍ଥାନୀୟ ପାଣିପାଗ ପରିବର୍ତ୍ତନ ଓ ପରିସ୍ଥିତି ପ୍ରଭାବରେ ଜୀବାଣୁ ଜନିତ ରୋଗ ବ୍ୟାପିଥାଏ।
ଗବେଷକମାନେ କହିଛନ୍ତି ଯେ, ଯେଉଁ ଦେଶର ସମ୍ବଳ କମ୍ ସେହି ଦେଶମାନଙ୍କୁ ଏହି ଅଧ୍ୟୟନ ଖୁବ ସାହାଯ୍ୟ କରିବ। ଏହି ଅଧ୍ୟୟନ ଦ୍ୱାରା ସମଗ୍ର ବିଶ୍ୱରେ ଯକ୍ଷ୍ମା ରୋଗର ମୁକାବିଲା କରିବାରେ ସାହାଯ୍ୟ କରିପାରିବ।
ଯକ୍ଷ୍ମା ଅଧିକାଂଶ ସମୟରେ ଫୁସଫୁସକୁ ପ୍ରଭାବିତ କରିଥାଏ ଏବଂ ଚିକିତ୍ସା ନକଲେ ଏହା ମାରାତ୍ମକ ହୋଇପାରେ । ଏହି ରୋଗ ହେଲେ ଲଗାତାର କାଶ, ଛାତିରେ ଯନ୍ତ୍ରଣା ଏବଂ ଜ୍ୱର ହୋଇଥାଏ। ସଂକ୍ରମିତ ବ୍ୟକ୍ତି କାଶ କିମ୍ବା ଛିଙ୍କିବା ସମୟରେ ବାୟୁ ମାଧ୍ୟମରେ ବ୍ୟାପିଥାଏ।
ନାଇଜେରିଆ ଓ ମୋଜାମ୍ବିକ୍ ସମେତ ୧୪ଟି ଦେଶର ୧୫ ଲକ୍ଷ ଲୋକଙ୍କୁ ନେଇ କର୍ଟିନ୍ ୟୁନିଭର୍ସିଟି ଓ କିଡ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଷ୍ଟ୍ରେଲିଆର ଗବେଷକମାନେ ଏହି ଗବେଷଣା କରିଥିଲେ। ରିସର୍ଚ୍ଚରୁ ଜଣା ପଡ଼ିଥିଲା ଯେ, ଏହି ରୋଗ ଏତେ ସାଧାରଣ ଯେ, ପ୍ରତି ୫ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ସଂକ୍ରମଣର ହଟସ୍ପଟ ରହୁଛି। ୧୪ଟି ଦେଶରେ ମୋଟ ୧.୨୮ ନିୟୁତ ଯକ୍ଷ୍ମା ରୋଗୀ ଅଛନ୍ତି। ତାପମାତ୍ରା ବଢିଲେ ରୋଗ କମେ ଓ ବର୍ଷା ହେଲେ ରୋଗ ବଢେ ବୋଲି ଜଣାପଡ଼ିଛି।
ବୃଷ୍ଟିପାତ ହେବା ଦ୍ୱାରା ଜଣେ ବ୍ୟକ୍ତି ଘରେ ରହିଥାଏ। ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ସହ ନିକଟତର ହେବା ଦ୍ୱାରା ଏହି ରୋଗ ବ୍ୟାପେ। ତେବେ କେଉଁ ଦେଶରେ ଏହି ରୋଗ କେନ୍ଦ୍ରୀଭୂତ ହୋଇଛି ତାହା ଜଣା ପଡିନାହିଁ ବୋଲି ରିସର୍ଚ୍ଚର କହିଛନ୍ତି।