ନୂଆଦିଲ୍ଲୀ, ୩୦/୦୫: ଗତକାଲି ରାତି ପ୍ରାୟ ୮ଟାରେ ଉତ୍ତର ସିକିମର ଚୁଙ୍ଗଥାଙ୍ଗ-ମୁନ୍ସିଥାଙ୍ଗ ରାସ୍ତାରେ ହୋଇଛି ଭୟଙ୍କର ଦୁର୍ଘଟଣା। ଗୁରୁଡୋଙ୍ଗମାର ରୁ ଗ୍ୟାଙ୍ଗଟକ ଫେରିବା ରାସ୍ତାରେ SK03J650 ନମ୍ବର ବିଶିଷ୍ଟ ଏକ ପର୍ଯ୍ୟଟକ ଗାଡ଼ି ରାସ୍ତାରୁ ଓଲଟି ପ୍ରାୟ ୧୦୦୦ ଫୁଟ ତଳକୁ ଖସି ପଡ଼ିଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଗାଡ଼ିରେ ଜଣେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୧ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟ ୮ ଜଣଙ୍କ ପତ୍ତା ମିଳୁନାହିଁ।
ତୁରନ୍ତ ସୂଚନା ପାଇ ଭାରତୀୟ ସେନା, ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି), ସିକ୍କିମ୍ ପୁଲିସ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମଙ୍ଗନ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ୯ ଜଣଙ୍କ ପତ୍ତା ମିଳିନଥିବା ବେଳେ ତିସ୍ତା ନଦୀ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଖୋଜାଖୋଜି ଜାରି ରହିଛି। ତେବେ ଏହି ପର୍ଯ୍ୟଟକମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।