ଧୀରେ ଧୀରେ ଫିଟୁଛି ପାକିସ୍ତାନର ଆତଙ୍କୀ ପ୍ରେମ ଗୁମର

ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ସହ ପାକ୍ ମନ୍ତ୍ରୀଙ୍କ ଷ୍ଟେଜ ସେୟାର

ଲାହୋର, ୩୧/୦୫: ଆତଙ୍କବାଦକୁ ପାକିସ୍ତାନର ସମର୍ଥନର  ପ୍ରମାଣ ଲାଗିଛି ଭାରତୀୟ ଗଣମାଧ୍ୟମ ହାତରେ। ପାକିସ୍ତାନ ଖୋଲାଖୋଲି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ନଜର ଆସିଛି। ପଞ୍ଜାବ ପ୍ରଦେଶର କାସୁରଠାରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀଙ୍କ ସହ ପାକିସ୍ତାନୀ ମନ୍ତ୍ରୀମାନେ ମଞ୍ଚ ଉପରେ ଏକାଠି ଥିବା ଦେଖିବାକୁ ମିଳିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣର ଆତଙ୍କୀ ସୈଫୁଲ୍ଲା କସୁରୀ ଏବଂ ଲସ୍କର-ଇ-ତୋଏବାର ସହ-ପ୍ରତିଷ୍ଠାତା ଅମୀର ହମଜା ପାକ୍ ମନ୍ତ୍ରୀଙ୍କ ସହ ଏକାଠି ଗୋଟିଏ ମଞ୍ଚରେ ଉପସ୍ଥିତ ଥିବା ନଜର ଆସିଛି।

ପାକିସ୍ତାନର ପରମାଣୁ ପରୀକ୍ଷଣକୁ ମନେ ପକାଇବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆତଙ୍କୀ ଅମୀର ହମଜା ଖଲିସ୍ତାନ ସମର୍ଥରେ ସ୍ଲୋଗାନ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଏଥିସହ ହାଫିଜ୍ ସୟିଦର ପଲିଟିକାଲ ପାର୍ଟି ପାକିସ୍ତାନ ମାର୍କଜି ମୁସଲିମ୍ ଲିଗ ପକ୍ଷରୁ କରାଚି ଓ ରାଓ୍ଵଲପିଣ୍ଡିରେ ରାଲି ଆୟୋଜନ କରାଯାଇଥିଲା।

ମେ’ ୨୮ ତାରିଖରେ ପଞ୍ଜାବରେ ୟୁମ୍-ଏ-ତକବୀର ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ସ୍ତରରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ପାକିସ୍ତାନର ଖାଦ୍ୟ ମନ୍ତ୍ରୀ ମଲିକ ରସିଦ ଅହମ୍ମଦ ଖାନ ଏବଂ ପଞ୍ଜାବ ବିଧାନସଭା ବାଚସ୍ପତି ମଲିକ ମହମ୍ମଦ ଅହମ୍ମଦ ଖାନ (ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ପିଏମଏଲ-ଏନ ନେତା ମରିୟମ ନୱାଜଙ୍କ ଘନିଷ୍ଠ ସହଯୋଗୀ) ସୈଫୁଲ୍ଲା କାସୁରୀ, ତଲହା ସୟିଦ (ହାଫିଜ ସୟିଦର ପୁଅ) ଏବଂ ଅମୀର ହମଜାଙ୍କ ସମେତ ଲସ୍କର-ଇ-ତୋଏବା ସଂପୃକ୍ତ ବ୍ୟକ୍ତିଙ୍କ ସହ ବସିଥିଲେ। ଏହି ସମାବେଶରେ ଆତଙ୍କବାଦର ଖୋଲାଖୋଲି ପ୍ରଶଂସା କରାଯିବା ସହ ଭାରତକୁ ଟାର୍ଗେଟ କରି ଉତ୍ତେଜନାମୂଳକ ଭାଷଣ ଦିଆଯାଇଥିଲା।