ୟୁକ୍ରେନର ଅପରେସନ ‘ସ୍ପାଇଡର ୱେବ’

ଋଷିଆର ୪୦ ଯୁଦ୍ଧ ବିମାନ ଧ୍ୱଂସ କଲା ୟୁକ୍ରେନ

କିଭ୍, ୦୧/୦୬: ଋଷିଆ ଉପରେ ସବୁଠୁ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁକ୍ରେନ। ଶାନ୍ତି ଆଲୋଚନାର ଗୋଟିଏ ଦିନ ପୂର୍ବରୁ ନେଇଛି ବଡ଼ ଆକ୍ସନ। ୟୁକ୍ରେନ ଋଷିଆର ଏୟାରବେସକୁ ଟାର୍ଗେଟ କରିବା ସହ ଅତି କମରେ ଋଷିଆର ୪୦ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଛି।

୨୦୨୨ରେ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ୟୁକ୍ରେନ ର ଏହା ସବୁଠୁ ଆଟାକ ବୋଲି କହିଛି ୟୁକ୍ରେନ ବାୟୁସେନା। ଋଷିଆ କିଭ୍ ଉପରେ ୪୭୨ଟି ଡ୍ରୋନ୍ ଏବଂ ୭ଟି କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା। ଏଥିମଧ୍ୟରୁ ୟୁକ୍ରେନ ପ୍ରାୟ ୩୮୨ଟି ଡ୍ରୋନ୍ ଓ ୩ଟି କ୍ଷେପଣାସ୍ତ୍ର ଖସାଇ ଦେଇଛି ବୋଲି ୟୁଏଏଫ୍ କହିଛି। ଏହି ଆକ୍ରମଣରେ A-50, Tu-95 ଏବଂ Tu-22 M3 ଭଳି ରୁଷୀୟ ଯୁଦ୍ଧ ବିମାନଗୁଡ଼ିକ ଧ୍ୱଂସ ହୋଇଛି। ଏଥିପାଇଁ ଋଷିଆକୁ ୨ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡ଼ିବ ବୋଲି ୟୁକ୍ରେନର ସୁରକ୍ଷା ସେବା ଦାବି କରିଛି।

ଋଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୧୨ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଋଷିଆ ଆକ୍ରମଣର ପ୍ରତି ଜବାବରେ ୟୁକ୍ରେନ ଋଷିଆର ଅନେକ ବାୟୁସେନା ଘାଟି ଉପରେ ଟାର୍ଗେଟ କରି ଆକ୍ରମଣ କରିଥିଲା। ରୁଷିଆର ବେଲାୟା, ଡାୟାଗିଲେଭୋ, ଓଲେନ୍ୟା ଏବଂ ଇଭାନୋଭୋ ବାୟୁସେନା ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ବେଲାୟା ବାୟୁସେନା ଘାଟି ୟୁକ୍ରେନ ଠାରୁ ୪୦୦୦ କିମି ଦୂରରେ ଅବସ୍ଥିତ। ୟୁକ୍ରେନର ଏହି ମିଶନକୁ “ଅପରେସନ ସ୍ପାଇଡର ୱେବ” ବୋଲି ବର୍ଣ୍ଣନା କରିଛି ୟୁକ୍ରେନର ଗଣମାଧ୍ୟମ।

ଅନ୍ୟପଟେ ସୋମବାରଠାରୁ ଉଭୟ ରାଷ୍ଟ୍ର ମଧ୍ୟରେ ଆରମ୍ଭ ହେବ ଶାନ୍ତି ଆଲୋଚନା। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ତୁର୍କୀର ଇସ୍ତାନବୁଲରେ ଋଷ ସହ ଅସ୍ତ୍ରବିରତି ଆଲୋଚନାରେ କିଭର ଏକ ପ୍ରତିନିଧି ଦଳ ଯୋଗ ଦେବେ।