୩୦ ସେକେଣ୍ଡ ୫୦ ବମ୍

ଏମିତି ହମାସ କମାଣ୍ଡର ମହମ୍ମଦ ସିନୱାରଙ୍କୁ ନିପାତ କରିଥିଲା ଇସ୍ରାଏଲ

ଜେରୁସାଲେମ, ୦୧/୦୬: ଇସ୍ରାଏଲ ଡିଫେନ୍ସ ଫୋର୍ସ ମେ ୧୩ ରେ ରାଜା ପଟି ଉପରେ ଏକ ସର୍ଜିକାଲ ଏୟାରଷ୍ଟ୍ରାଇକ୍ କରିଥିଲା। ଯେଉଁଥିରେ ଗାଜାର ଖାନ୍ ୟୁନିସର ଏକ ଡାକ୍ତରଖାନା ତଳେ ଲୁଚି ରହିଥିବା ହମାସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ଟାର୍ଗେଟ କରିଥିଲା। ଏହି ଏୟାର ଷ୍ଟ୍ରାଇକରେ ମାତ୍ର ୩୦ ସେକେଣ୍ଡରେ ୫୦ରୁ ଅଧିକ ବୋମା ଫିଙ୍ଗିଥିଲା ଆଇଡିଏଫ। ଏହି ଆକ୍ରମଣରେ ହମାସର ବରିଷ୍ଠ କମାଣ୍ଡର ମହମ୍ମଦ ସିନୱାର ଓ ମହମ୍ମଦ ଶବାନା ନିହତ ହୋଇଥିଲେ।

ଆଜି ଇସ୍ରାଏଲ ଏକ ଥ୍ରୀଡି ଫୁଟେଜ ଜାରି କରିଛି। ଯେଉଁଥିରେ ଦେଖାଯାଉଛି ଯେ, ଏକ ବିଶାଳ ଆତଙ୍କୀ ଆଡ୍ଡା ଉପରେ କିପରି ଏକ ହସ୍ପିଟାଲ ଚାଲୁଥିଲା। ହସ୍ପିଟାଲରେ ସୁଡ଼ଙ୍ଗ ଥିବା ବେଳେ ଏହି ସୁଡ଼ଙ୍ଗରେ ଥାଇ ଆତଙ୍କବାଦୀମାନେ ତାଙ୍କ ଅପରେସନ ଚଳାଉଥିଲେ। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀମାନେ ନିପାତ ହୋଇଛନ୍ତି ବୋଲି ଆଇଡିଏଫ୍ କହିଛି।

ଆଇଡିଏଫ ଏବଂ ଇସ୍ରାଏଲ ସିକ୍ୟୁରିଟିଜ୍ ଅଥରିଟି (ଆଇଏସଏ) ମିଳିତ ଭାବରେ କରିଥିବା ଏହି ଅପରେସନର ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ କ୍ଷତି ନ ପହଞ୍ଚାଇ କେବଳ ଆତଙ୍କୀମାନଙ୍କୁ ହିଁ ବିନାଶ କରିବା। ତେବେ ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କିନ୍ତୁ ସିନୱାରଙ୍କ ମୃତ୍ୟୁକୁ ହମାସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ।