ଆତ୍ମସମର୍ପଣ କଲେ ୧୬ ମାଓବାଦୀ

କେର୍ଲାପେଣ୍ଡା ଗ୍ରାମ ପଞ୍ଚାୟତ ହେଲା ମାଓ ମୁକ୍ତ ଅଞ୍ଚଳ

ସୁକମା, ୦୨/୦୬: ଛତିଶଗଡ଼ର ସୁକମା ପୋଲିସ ନିକଟରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ମାଓବାଦୀମାନଙ୍କ ନୀରିହ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଅତିଷ୍ଠ ହୋଇ ଶେଷରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ ଆଞ୍ଚଳିକ କମିଟିର ସଦସ୍ୟ ଦୋଡି ସୁକ୍କି ଓ ରାହୁଲ ପୁନେମଙ୍କ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଲେକମ ଲେଖମାଙ୍କ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୯ ଜଣ କ୍ୟାଡର ଚିନ୍ତଲନାର ଥାନା ଅନ୍ତର୍ଗତ କେର୍ଲାପେଣ୍ଡା ଗ୍ରାମ ପଞ୍ଚାୟତର ବୋଲି ଜଣାପଡ଼ିଛି। ନକ୍ସଲମାନେ ଆତ୍ମସମର୍ପଣ କରିବା ଦ୍ୱାରା ଏହି ଗାଁ ନକ୍ସଲ ମୁକ୍ତ ହେବା ସହ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ଏହି ଗାଁର ଉନ୍ନତିକରଣ ପାଇଁ ୧ କୋଟି ଟଙ୍କା ଅର୍ଥରାଶି ମିଳିବ ବୋଲି ସୁକମା ଆରକ୍ଷୀ ଅଧୀକ୍ଷକ କିରଣ ଚୌହାନ କହିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ ବୋଲି ଏସପି କହିଛନ୍ତି।