ନାଇଜର, ୦୩/୦୬: ଦୀର୍ଘ ୬୦ ବର୍ଷ ପରେ ନାଇଜେରିଆକୁ ଫେରିଛି ପ୍ରଳୟଙ୍କାରୀ ବନ୍ୟା। ସରକାରୀ ସୂତ୍ର ଅନୁସାରେ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ ଲୋକଙ୍କ ପତ୍ତା ମିଳୁନାହିଁ। ବର୍ଷା ଏତେ ପରିମାଣର ହେଉଛି ଯେ, ଉଦ୍ଧାର କାର୍ଯ୍ୟ ସମ୍ଭବପର ହୋଇପାରୁନାହିଁ। ତେଣୁ ନିଖୋଜ ଥିବା ୫୦୦ ଜଣଙ୍କୁ ମଧ୍ଯ ମୃତ ବୋଲି ଧରି ନିଆଯାଇଛି। ବିସ୍ଥାପିତଙ୍କ ସଂଖ୍ୟା ଢେର୍ ଅଧିକ। ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେଲେଣି।
ନାଇଜେରିଆର ମୋକ୍ୱା ସହରରେ ଏହାର ପ୍ରଭାବ ଭୟଙ୍କର ହୋଇଛି। ସବୁଠୁ ଅଧିକ ଲୋକ ଏହିଠାରେ ହିଁ ଜୀବନ ହରାଇଛନ୍ତି। ଦୀର୍ଘ ୬୦ ବର୍ଷ ପରେ ଏହି ଅଞ୍ଚଳରେ ସବୁଠାରୁ ଭୟଙ୍କର ବନ୍ୟା କୁହାଯାଉଥିବା ଏହି ବନ୍ୟା ପ୍ରବଳ ବର୍ଷା ପରେ ମୋକ୍ୱା ଜିଲ୍ଲାର ଟିଫିନ୍ ମାଜା ଏବଂ ଆଙ୍ଗୁୱାନ ହାଉସାୱାରେ ତା’ର ତାଣ୍ଡବ ରଚିଛି।
ଏହି ଅଞ୍ଚଳରେ ମୃତକମାନେ ମାଟି ତଳେ ପୋତି ହୋଇଥିବାରୁ ସଂକ୍ରମଣକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ମାଟି ତଳେ ପୋତି ହୋଇ ରହିଥିବା ମୃତଦେହଗୁଡ଼ିକୁ ଖୋଳି ବାହାର କରିବେ ବୋଲି ମୋକ୍ୱା ଜିଲ୍ଲା ମୁଖ୍ୟ ମହମ୍ମଦୁ ଅଲିୟୁ କହିଛନ୍ତି।
ସୂଚନାନୁଯାୟୀ, ନାଇଜେରିଆରେ ବର୍ଷା ଋତୁରେ ବନ୍ୟା ଅସ୍ୱାଭାବିକ ନୁହେଁ। ଏଠାରେ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ବର୍ଷା ଋତୁ ହୋଇଥାଏ। ୨୦୨୪ରେ ନାଇଜେରିଆରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ପ୍ରବଳ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ବହୁ ଲୋକ ବିସ୍ଥାପିତ ହୋଇଥିଲେ।
ସେହିପରି ୨୦୨୨ରେ ମଧ୍ୟ ଭୟଙ୍କର ବନ୍ୟା ଆସିଥିଲା। ଯେଉଁଥିରେ ୬୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୧.୩ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ।