କୋରାପୁଟ, ୦୪/୦୬: କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା। ଭୁଲ ଇଞ୍ଜେକ୍ସନ ଯୋଗୁଁ ଚାଲି ଯାଇଛି ୬ଟି ଜୀବନ। ଏକା ସାଙ୍ଗରେ ଇଞ୍ଜେକ୍ସନ ଦେବାର ୧୫ ମିନିଟ୍ ଭିତରେ ଏଭଳି ଅଘଟଣ ଘଟିଥିବାରୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ।
ସୂଚନାନୁସାରେ, କୋରାପୁଟର ବିଭିନ୍ନ ସ୍ଥାନରୁ ହସ୍ପିଟାଲର ଆଇସିୟୁ ଓ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିଲେ। ହେଲେ, ଗତ କାଲି ରାତି ୧୧ଟାରେ ପ୍ରଥମେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ସମୟ ପରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଯାହା ଫଳରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ମୁତାବକ, ଗତ କାଲି ଅପରେସନ ପରେ ରୋଗୀମାନେ ଠିକ୍ ଥିଲେ। କିନ୍ତୁ ରାତି ଦାୟିତ୍ୱରେ ଥିବା କିଛି କର୍ମଚାରୀ ଦୁଇ ଥର ଇଞ୍ଜେକ୍ସନ ଦେଇଥିଲେ। ଯାହା ଫଳରେ ଇଞ୍ଜେକ୍ସନ ଦେବାର ୧୫ ମିନିଟ୍ ମଧ୍ୟରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପରେ ୱାର୍ଡରେ ଅନ୍ୟ ରୋଗୀଙ୍କ ମୃତ୍ୟୁ ଘଟିଥିଲା।
ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରେ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ମେଡିକାଲର ଅଧିକ୍ଷକ ଏହି ଘଟଣାକୁ ଖଣ୍ଡନ କରିଛନ୍ତି।