ଭୁବନେଶ୍ୱର, ୦୪/୦୬: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀ ମାନେ ୫ ଟନ୍ ବିସ୍ଫୋରକ ଲୁଟ୍ କରିଥିଲେ। ସେଥିମଧ୍ୟରୁ ପୁଲିସ ୩.୮ ଟନ୍ ବିସ୍ଫୋରକ ଜବତ କରିଛି ବୋଲି କହିଛନ୍ତି ଡିଜିପି ୱାଇବି ଖୁରାନିଆ।
ଓଡ଼ିଶା ପୁଲିସ ଡିଜିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ମେ ୨୭ ତାରିଖରେ ମାଓବାଦୀମାନେ ଲୁଟି ନେଇଥିଲେ ଏହି ବିସ୍ଫୋରକ ସାମଗ୍ରୀ। ଏହାର ପ୍ରମାଣ ପୋଲିସ ହାତରେ ଲାଗିଛି। ଝାଡ଼ଖଣ୍ଡ ପୁଲିସ ସହାୟତାରେ ସେହି ଲୁଟ୍ ସାମଗ୍ରୀକୁ ଉଦ୍ଧାର କରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ କରାଯାଇଥିଲା।
ସୂଚନା ଅନୁଯାୟୀ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣି ନିକଟରେ ସଶସ୍ତ୍ର ମାଓବାଦୀମାନେ ବିସ୍ଫୋରକ ବୋଝେଇ ଏକ ଟ୍ରକକୁ ଅଟକାଇ ପାଖାପାଖି ୫ ଟନ୍ ଓଜନର ପ୍ରାୟ ୧୫୦ ପ୍ୟାକେଟ୍ ଜିଲେଟିନ୍ ଷ୍ଟିକ୍ ଓ ଅନ୍ୟାନ୍ୟ ବିସ୍ଫୋରକ ଲୁଟି ନେଇଥିଲେ।
ଏହି ଘଟଣା ପରେ ଓଡ଼ିଶା ପୁଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସ୍ଆଇଟି ଗଠନ କରି ଝାଡ଼ଖଣ୍ଡ ପୁଲିସ ସହାୟତାରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। କୋବ୍ରା ବାଟାଲିୟନ, ସିଆରପିଏଫ, ଡିଭିଏଫ, ଆଇଆରବି ଓ ଏସଓଜି ଯବାନମାନେ ମିଳିତ ସର୍ଚ୍ଚ ଅପରେସନ କରିଥିଲେ।
ଏହି ଘଟଣାରେ ମଙ୍ଗଳବାର ବଡ଼ଗାଁରେ ଥିବା ବିସ୍ଫୋରକ ଗୋଦାମର ମାଲିକ ଶ୍ରବଣ ଅଗ୍ରଓ୍ଵାଲ ଓ ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଅବଶିଷ୍ଟ ବିସ୍ଫୋରକକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିବ ବୋଲି ଓଡ଼ିଶା ଡିଜିପି ସୂଚନା ଦେଇଛନ୍ତି।