ପାକିସ୍ତାନ ପାଇଁ ଗୁପ୍ତଚରୀ: ISI ସହ ଭାରତୀୟ ୟୁଟ୍ୟୁବରଙ୍କ ଲିଙ୍କ

ୟୁଟ୍ୟୁବରେ ୧୦ ଲକ୍ଷରୁ ଅଧିକ ଅଛନ୍ତି ସବସ୍କ୍ରାଇବର୍ସ

ପୋଲିସ ହାତରେ ଲାଗିଲା ଜ୍ୟୋତି ମାଲହୋତ୍ରାଙ୍କ ସହ ଥିବା ଫଟୋ

ନୂଆଦିଲ୍ଲୀ, ୦୪/୦୬: ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ହୋଇଛନ୍ତି ଆଉ ଜଣେ ୟୁଟ୍ୟୁବର। ପଞ୍ଜାବ ପୁଲିସ ବୁଧବାର ଆଉ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ୟୁଟ୍ୟୁବର ଜସବୀର ସିଂହ ‘ଜାନ ମହଲ’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ। ତାଙ୍କର ଏହି ୟୁଟ୍ୟୁବ ଚ୍ୟାନେଲରେ ୧୦ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ସ ଅଛନ୍ତି। ତାଙ୍କ ଘର ରୂପନଗର ଜିଲ୍ଲାର ମହଲାନ ଗାଁର ବାସିନ୍ଦା। ଷ୍ଟେଟ୍ ସ୍ପେଶାଲ ଅପରେସନ୍ ସେଲର ସୂଚନା ଆଧାରରେ ତାଙ୍କୁ ଗିରଫ କରାଯାଇଛି।

ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କ ପରେ ଜସବୀର ସିଂହ ହେଉଛନ୍ତି ଦ୍ୱିତୀୟ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର ଯିଏ କି ଗିରଫ ହୋଇଛନ୍ତି।

ପଞ୍ଜାବ ପୁଲିସର ସୂଚନା ଅନୁଯାୟୀ, ଜସବୀର ସିଂହ ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ଶାକିର ଓରଫ ଜଟ୍ ରନ୍ଧାୱାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ। ଶାକିର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ, ଯିଏ କି ଆଇଏସଆଇ ପାଇଁ କାର୍ଯ୍ୟ କରନ୍ତି। ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନର ପୂର୍ବତନ ଅଧିକାରୀ ଦାନିଶଙ୍କ ସମ୍ପର୍କରେ ଥିଲେ ଏବଂ ନିକଟରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ମଧ୍ୟ ଥିଲେ। ଜ୍ୟୋତିଙ୍କ ସହ ତାଙ୍କ ଫଟୋ ପୋଲିସ ହାତରେ ଲାଗିଛି।

ପଞ୍ଜାବ ପୋଲିସ ଆହୁରି ସାଂଘାତିକ ତଥ୍ୟ ଦେଇଛନ୍ତି। ପାକିସ୍ତାନର ଜାତୀୟ ଦିବସ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ ଜସବୀର। ଦାନିସଙ୍କ ନିମନ୍ତ୍ରଣ କ୍ରମେ ଜସବିର ଦୂତାବାସରେ ଏହି ଉତ୍ସବରେ ଯୋଗ ଦେଇଥିଲେ। ସେ ୨୦୨୦, ୨୦୨୧ ଓ ୨୦୨୪ରେ ସେ ତିନିଥର ପାକିସ୍ତାନ ଗସ୍ତ କରିଛନ୍ତି। ତାଙ୍କର ମୋବାଇଲ ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ଜବତ କରାଯାଇଛି। ତାଙ୍କ ମୋବାଇଲରେ ପାକିସ୍ତାନୀଙ୍କ ନମ୍ବର ରହିଛି। ତେବେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହେବା ପରେ ସେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ବାର୍ତ୍ତାଳାପ ଡିଲେଟ କରିଥିବା ସୂଚନା ମିଳିଛି।