ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ ବ୍ରିଜ – ଚେନାବ ସେତୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ୬ ଜୁନରେ ଜମ୍ମୁ ଓ କାଶ୍ମୀର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ କଟରା ଠାରେ ୪୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ।
ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ – ଅଞ୍ଜି ସେତୁର ହେବ ଉଦଘାଟନ
ନୂଆଦିଲ୍ଲୀ, ୦୪/୦୬: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ଜୁନରେ ଜାମ୍ମୁ ଏବଂ କାଶ୍ମୀର ଗସ୍ତ କରିବେ | ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ପୂର୍ବାହ୍ନ ୧୧ ଘଟିକାରେ ଚେନାବ ସେତୁ ଉଦଘାଟନ ଏବଂ ସେତୁ ଡେକ୍ ପରିଦର୍ଶନ କରିବେ | ଏହା ପରେ, ସେ ଅଞ୍ଜି ସେତୁ ପରିଦର୍ଶନ ଏବଂ ଉଦଘାଟନ କରିବେ | ସେ ମଧ୍ୟାହ୍ନ ପ୍ରାୟ ୧୨ ଘଟିକାରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ | ଏହା ପରେ ସେ କଟରା ଠାରେ ୪୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ |
ଚେନାବ ଏବଂ ଅଞ୍ଜି ରେଳ ସେତୁ
ନଦୀଠାରୁ ୩୫୯ ମିଟର ଉଚ୍ଚତାରେ ଅବସ୍ଥିତ ସ୍ଥାପତ୍ୟ ଚମତ୍କାର ଚେନାବ ରେଳ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ ବ୍ରିଜ | ଏହା ୧,୩୧୫ ମିଟର ଲମ୍ବା ଇସ୍ପାତ ଆର୍ଚ ବ୍ରିଜ ଯାହା ଭୂକମ୍ପ ଏବଂ ପବନର ପ୍ରତିକୂଳ ପରିସ୍ଥିତିକୁ ସହ୍ୟ କରିବା ପାଇଁ ଆଧୁନିକ ଇଂଜିନିୟରିଂ ଢାଞ୍ଚାରେ ନିର୍ମାଣ କରାଯାଇଅଛି | ଏହି ସେତୁର ଏକ ପ୍ରମୁଖ ପ୍ରଭାବ ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି କରିବ | ଏହି ସେତୁ ଉପରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦ୍ୱାରା କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା କରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ ଯାହା ଦ୍ଵାରା ବର୍ତ୍ତମାନର ଯାତ୍ରା ସମୟ ୨-୩ ଘଣ୍ଟା ହ୍ରାସ ପାଇବ |
ଅଞ୍ଜି ସେତୁ ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ ଯାହା ଏକ ଚ୍ୟାଲେଞ୍ଜିଂ ଭୂଖଣ୍ଡରେ ଦେଶକୁ ସେବା କରିବ |
ସଂଯୋଗୀକରଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶ ପଦକ୍ଷେପ
ପ୍ରଧାନମନ୍ତ୍ରୀ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ (USBRL) ପ୍ରକଳ୍ପକୁ ମଧ୍ୟ ଦେଶକୁ ଉତ୍ସର୍ଗ କରିବେ | ପ୍ରାୟ ୪୩,୭୮୦ କୋଟି ଟଙ୍କା ମୂଲ୍ୟରେ ନିର୍ମିତ ୨୭୨ କିଲୋମିଟର ଲମ୍ବା USBRL (ୟୁଏସବିଆରଏଲ) ପ୍ରକଳ୍ପରେ ୩୬ ଟି ସୁଡ଼ଙ୍ଗ (୧୧୯ କିଲୋମିଟର ବ୍ୟାପି) ଏବଂ ୯୪୩ ଟି ସେତୁ ଅନ୍ତର୍ଭୁକ୍ତ | ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନ ମଧ୍ୟରେ ସବୁଦିନିଆ, ସୁଗମ ରେଳ ସଂଯୋଗ ସ୍ଥାପନ କରିବ ଯାହା କ୍ଷେତ୍ରୀୟ ଗତିଶୀଳତାକୁ ପରିବର୍ତ୍ତନ କରିବା ଏବଂ ସାମାଜିକ-ଆର୍ଥିକ ଏକୀକରଣକୁ ଆଗେଇ ନେବା ଲକ୍ଷ୍ୟରେ ନିର୍ମାଣ କରାଯାଇଅଛି |
ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ମାତା ବୈଷ୍ଣୋ ଦେବୀ କଟରାରୁ ଶ୍ରୀନଗର ଏବଂ ପଛକୁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ | ଏଗୁଡ଼ିକ ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ପାଇଁ ଏକ ଦ୍ରୁତ, ଆରାମଦାୟକ ଏବଂ ନିର୍ଭରଯୋଗ୍ୟ ଯାତ୍ରା ବିକଳ୍ପ ପ୍ରଦାନ କରିବ |
ବିଶେଷକରି ସୀମାନ୍ତ ଅଞ୍ଚଳରେ ଶେଷ ମାଇଲ ସଂଯୋଗକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ | ସେ ଜାତୀୟ ରାଜପଥ-701 ରେ ରଫିଆବାଦରୁ କୁପୱାଡା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ଏବଂ NH-444 ରେ ୧,୯୫୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶୋପିଆନ ବାଇପାସ ରାସ୍ତା ନିର୍ମାଣର ଶିଳାନ୍ୟାସ କରିବେ | ସେ ଶ୍ରୀନଗରର ଜାତୀୟ ରାଜପଥ-1 ର ସଂଗ୍ରାମା ଜଙ୍କସନ ଏବଂ ଜାତୀୟ ରାଜପଥ-44 ର ବେମିନା ଜଙ୍କସନରେ ଦୁଇଟି ଫ୍ଲାଏଓଭର ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ | ଏହି ପ୍ରକଳ୍ପଗୁଡ଼ିକ ଟ୍ରାଫିକ ଭିଡ଼କୁ କମ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ଟ୍ରାଫିକ ପ୍ରବାହକୁ ବୃଦ୍ଧି କରିବ |
ପ୍ରଧାନମନ୍ତ୍ରୀ କଟରାରେ ୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶ୍ରୀ ମାତା ବୈଷ୍ଣୋ ଦେବୀ ମେଡିକାଲ ଉତ୍କର୍ଷ ପ୍ରତିଷ୍ଠାନର ମଧ୍ୟ ଶିଳାନ୍ୟାସ କରିବେ | ଏହା ରିଆସି ଜିଲ୍ଲାର ପ୍ରଥମ ମେଡିକାଲ କଲେଜ ହେବ ଯାହା ଏହି ଅଞ୍ଚଳର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଯଥେଷ୍ଟ ଯୋଗଦାନ ଦେବ |