ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ

୪ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୦୬/୦୬: ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।

ଗଜପତି ଜିଲ୍ଲା ଛେଳିଗଡ ଜଳସେଚନ ପ୍ରକଳ୍ପର ୨୬୬  ମିଟର ଲମ୍ବର କଂକ୍ରିଟ ଡ୍ୟାମ ଓ ସ୍ପଲୱେ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ୧୫୧.୭୮ କୋଟି ଟଙ୍କାର ଏହି ପ୍ରକଳ୍ପରେ ବଂଶଧାରା ନଦୀର ଶାଖା ନଦୀ ବଡ଼ଜୋର ନଦୀର ଜଳ ସମ୍ପଦ ଉପଯୋଗ କରି ଗଜପତି ଓ ଗଞ୍ଜାମ ଜିଲ୍ଲାର ୬୨୬୦ ହେକ୍ଟର ଜମିକୁ ଜଳସେଚନ, ବ୍ରହ୍ମପୁର ସହର ପାଇଁ ପାନୀୟ ଓ ଘରୋଇ ଉଦ୍ଦେଶ୍ୟରେ ୩୧.୫୪ ନିୟୁତ ଘନମିଟର ଜଳ ଯୋଗାଣ, ମତ୍ସ୍ୟ ବିକାଶ ଓ ପଶୁସମ୍ପଦ ଚାଷକୁ ପ୍ରୋତ୍ସାହନ, ଭୂତଳ ଜଳସ୍ତର ପୁନରୁଦ୍ଧାର ଏବଂ ୩୬ ମେଗାୱାଟ୍ ଜଳବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯିବ। ଏହି ପ୍ରକଳ୍ପ ୧୮ ମାସ ମଧ୍ୟରେ ଶେଷ ହେବ।

ରାଜ୍ୟର ସହରାଞ୍ଚଳର ବିକାଶ ଦିଗରେ ବିକଶିତ ଓଡ଼ିଶା @ ୨୦୩୬ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ଅନୁମୋଦନ ମିଳିଛି। ପାଞ୍ଚ ବର୍ଷ ମଧ୍ୟରେ ୬,୧୦୦ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ୧୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ କରାଯିବ। କଲ୍ୟାଣ ମଣ୍ଡପ, ଟାଉନ ହଲ୍, ଶ୍ମଶାନ, କମ୍ୟୁନିଟି ସେଣ୍ଟର, ମାର୍କେଟ୍ କମ୍ପ୍ଲେକ୍ସ, ରାସ୍ତା, ଡ୍ରେନ୍, ଭେଣ୍ଡିଂ ଜୋନ୍, ପାର୍କ, ପାର୍କିଂ ସ୍ଥାନ, ଇଭି ଚାର୍ଜିଂ ଷ୍ଟେସନ୍ ଏବଂ ମିନି ଶୀତଳ ଭଣ୍ଡାର ୟୁନିଟ୍ ନିର୍ମାଣ କରାଯିବ। ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ହେବ। ମିନି ପାର୍କ ନିର୍ମାଣ, ଓପନ ଏୟାର ଜିମ୍, ଚାଲିବା ଟ୍ରାକ୍, ଖେଳ ପଡ଼ିଆ, ଭୋଗମଣ୍ଡପ, ଭାଗବତ ଟୁଙ୍ଗି, ବର୍ଷା ଜଳ ଅମଳ ସଂରଚନା ପ୍ରକଳ୍ପ ନିର୍ମାଣ କରାଯିବ। ସହରାଞ୍ଚଳ ଜଳାଶୟ ଓ ନଦୀକୂଳଗୁଡିକର ନବୀକରଣ କରାଯିବ। କାଞ୍ଜିଆହୁଡା, ଗୋଶାଳା ଏବଂ ଗୃହପାଳିତ ପଶୁ ଯତ୍ନ କେନ୍ଦ୍ର ସମେତ ପ୍ରାଣୀ ଯତ୍ନ କେନ୍ଦ୍ରର ବିକାଶ କରାଯିବ।

ରାଜ୍ୟ ସରକାର ଜୈବ ପ୍ରଯୁକ୍ତି ବିଜ୍ଞାନ ବିକାଶ ଯୋଜନାକୁ ମଂଜୁରୀ ଦେଇଛନ୍ତି। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ୧୧୧୩.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସପକ୍ଷରେ ଭୁବନେଶ୍ଵରର ୟୁନିଟ ନମ୍ବର-୪୧, ଚନ୍ଦ୍ରଶେଖରପୁରଠାରେ ଆବଣ୍ଟିତ ଅତିରିକ୍ତ ସରକାରୀ ଜମି ଏ.୦.୬୪୪ଡି.ର ଅଧିମୂଲ୍ୟ ବାବଦକୁ (Additional Land Premium) ଟ.୨,୬୦,୮୨,୦୦୦/- ଛାଡ଼ କରିବା ନିମନ୍ତେ କ୍ୟାବିନେଟ ନିଷ୍ପତି ନେଇଛନ୍ତି।