ବିମାନ ଦୁର୍ଘଟଣା: ୨୦୪ ମୃତଦେହ ଉଦ୍ଧାର, ୪୧ ଗୁରୁତରଙ୍କ ବଞ୍ଚିବା ଆଶଙ୍କା କମ୍

୫ ଡାକ୍ତରୀ ଛାତ୍ର ମଧ୍ୟ ମୃତ

ଅହମ୍ମଦାବାଦ, ୧୨/୦୬: ଗୁଜରାଟର ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର ୫ ମିନିଟ୍ ପରେ ଏୟାର ଇଣ୍ଡିଆର ବିମାନ AI୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଇଂ ୭୮୭-୮ ଡ୍ରିମଲାଇନର ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭୟଙ୍କର ଭାବେ ଜଳି ଉଠିଥିଲା। ଏହି ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡାର ନାଗରିକ ଏବଂ ୭ ଜଣ ପର୍ତ୍ତୁଗିଜ ନାଗରିକ ଥିଲେ।

ଅହମ୍ମଦାବାଦ ପୁଲିସ କମିଶନର ଜିଏସ୍ ମଲ୍ଲିକ କହିଛନ୍ତି ଯେ ଆମେ ୨୦୪ ମୃତଦେହ ଉଦ୍ଧାର କରିଛୁ ଏବଂ ୪୧ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଲୋକଙ୍କ ବଞ୍ଚିବା ସମ୍ଭାବନା ବହୁତ କମ୍ ବୋଲି ସେ କହିଛନ୍ତି।

ତେବେ ଯେଉଁ କୋଠା ଉପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ତାହା ଏକ ଡାକ୍ତର ହଷ୍ଟେଲ। ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ୍ କହିଛି ଯେ ସେଠାରୁ ୫୦ରୁ ୬୦ ଜଣ ଏମବିବିଏସ୍ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏବଂ ୪ରୁ ୫ ଜଣ ଏମବିବିଏସ ଛାତ୍ର ନିଖୋଜ ଅଛନ୍ତି ଏବଂ ଆଇସିୟୁରେ ୨ରୁ ୩ ଜଣ ଚିକିତ୍ସିତ ହେଉଛନ୍ତି।

ତେବେ ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରାଯାଉଛି। ଘଟଣାସ୍ଥଳରେ ଭାରତୀୟ ସେନା, ଏନଡିଆରଏଫ, ସିଆରପିଏଫ ଓ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଦଳ କାମ କରୁଛନ୍ତି।