‘ଅପରେସନ ରାଇଜିଂ ସିଂହ’: ଛାରଖାର ହୋଇଗଲା ଏହି ଦେଶର ପରମାଣୁ ଅସ୍ତ୍ର ନିର୍ମାଣ କାରଖାନା
୬ ଜଣ ପରମାଣୁ ବୈଜ୍ଞାନିକ ମୃତ
ଜେରୁସାଲେମ, ୧୩/୦୬: ଇରାନ ଉପରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି ଇସ୍ରାଏଲ। ପାଖାପାଖି ଦୁଇ ଦଶନ୍ଧିର ଶତ୍ରୁତା ପରେ ଶେଷରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ। ଇସ୍ରାଏଲ ଇରାନକୁ ପରମାଣୁ ଅସ୍ତ୍ର ନିର୍ମାଣରୁ ରୋକିବା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ଅଭିଯାନରେ ଶେଷରେ ଇରାନର ଆଣବିକ ପ୍ରତିଷ୍ଠାନ, ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର କାରଖାନା ଏବଂ ସାମରିକ କମାଣ୍ଡରଙ୍କ ଉପରେ ଆକ୍ରମଣ କରିଛି।
ଏହି ଆକ୍ରମଣରେ ଇରାନର ଅନେକ ଉଚ୍ଚ ପଦସ୍ଥ ସାମରିକ ଅଧିକାରୀ ଏବଂ ୬ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ଏହାର ଜବାବରେ ଇରାନ ଇସ୍ରାଏଲ ଆଡ଼କୁ ଅନେକ ଡ୍ରୋନ୍ ଆକ୍ରମଣ କରିଥିବା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନି କଠୋର ଦଣ୍ଡ ପାଇଁ କଡ଼ା ଚେତାବନୀ ଦେଇଛନ୍ତି।
ତେବେ ଇରାନ ଉପରେ ଏହି ଆକ୍ରମଣର ନାଁ ‘ଅପରେସନ ରାଇଜିଂ ସିଂହ’ ରଖିଛି ଇସ୍ରାଏଲ। ଇରାନ ପଟୁ ଥିବା ବିପଦକୁ ଏଡାଇବା ପାଇଁ ଯେତେ ଦିନ ଲାଗିବ ସେତିକି ଦିନ ପର୍ଯ୍ୟନ୍ତ ଏହି ଅପରେସନ ଜାରି ରହିବ।
ଏକ ବିବୃତି ଜାରି କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅସ୍ତ୍ରଶସ୍ତ୍ର ବିକାଶରେ ସମ୍ପୃକ୍ତ ଥିବା ଇରାନର ପରମାଣୁ ବୈଜ୍ଞାନିକଙ୍କୁ ଟାର୍ଗେଟ କରି ଏହି ଅପରେସନ କରାଯାଇଥିବା କହିଛନ୍ତି।
ଆଇଡିଏଫ ଅନୁଯାୟୀ, ଏହି ଅପରେସନର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ବାୟୁସେନାର ଇରାନରେ ଥିବା ପରମାଣୁ ପ୍ରତିଷ୍ଠାନ ସମେତ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା।
ଇସ୍ରାଏଲ ସେନା ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫପି ଡେଫ୍ରିନ୍ ଏକ ଅନଲାଇନ୍ ବ୍ରିଫିଂରେ କହିଛନ୍ତି ଯେ ଏହି ଆକ୍ରମଣରେ ଇରାନ୍ ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଷ୍ଟାଫ୍, ରିଭୋଲ୍ୟୁସନରୀ ଗାର୍ଡର କମାଣ୍ଡର ଏବଂ ଇରାନର ଜରୁରୀକାଳୀନ କମାଣ୍ଡର କମାଣ୍ଡର ସମସ୍ତେ ପ୍ରାଣ ହରାଇଛନ୍ତି। ଇରାନର ନାତାଞ୍ଜ କାରଖାନାର ଭୂତଳ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।