ବିମାନ ଦୁର୍ଘଟଣାଗ୍ରସ୍ତଙ୍କ ପରିବାରକୁ କ୍ଷତିପୂରଣ ରାଶି ଦେବ ଏୟାର ଇଣ୍ଡିଆ
ପୂର୍ବରୁ ଟାଟା ସନ୍ସ ୧ କୋଟି କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଥିଲା
ନୂଆଦିଲ୍ଲୀ, ୧୪/୦୬: ଗୁଜରାଟ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତିଟି ବ୍ୟକ୍ତି ଓ ଏକାକୀ ବଞ୍ଚି ଯାଇଥିବା ବିଶ୍ୱାସ କୁମାର ରମେଶଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆ। ସମସ୍ତଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହାୟତା ରାଶି ଦେବାକୁ ଘୋଷଣା କରିଛି। ଏହା ପୂର୍ବରୁ ଟାଟା ସନ୍ସ ଦ୍ୱାରା ପୂର୍ବରୁ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିଲା।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଭାରତରୁ ଲଣ୍ଡନ ଅଭିମୁଖେ ଯାଉଥିବା ବୋଇଂ ଡ୍ରିମ୍ଲାଇନର ୭୮୭-୮ ଫ୍ଲାଇଟ୍ ର ଏଆଇ ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ଭରିବାର ୩୩ ସେକେଣ୍ଡ ପରେ ବିମାନ ବନ୍ଦର ନିକଟରେ ଥିବା ଏକ ମେଡ଼ିକାଲ ହଷ୍ଟେଲ ଉପରେ ଖସି ପଡ଼ିଥିଲା। ସେଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗିଜ ନାଗରିକ ଏବଂ ଜଣେ କାନାଡାର ନାଗରିକ ଥିଲେ। ଯାତ୍ରୀଙ୍କ ମଧ୍ୟରେ କେବଳ ଜଣଙ୍କୁ ଛାଡି ଦେଲେ ଅନ୍ୟମାନଙ୍କ ଜୀବନ ହାନୀ ହୋଇଥିଲା। ଯେଉଁ ମେଡିକାଲ ହଷ୍ଟେଲ ଉପରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରେ ଥିବା କିଛି ଡାକ୍ତରୀ ଛାତ୍ରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।