ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର

କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ, ୧୪/୦୬: ଭାରତରେ ସୁନାକୁ ନେଇ ରହିଛି ଏକ ପରମ୍ପରା ଓ ଐତିହ୍ୟ। ପ୍ରତି ଭାରତୀୟଙ୍କ ପାଇଁ ସୁନା କେବଳ ଏକ ଧାତୁ ନୁହେଁ, ବରଂ ସଭିଙ୍କ ଭାବନା ସହ ଜଡ଼ିତ। ଯେକୌଣସି ପୂଜା ପର୍ବ ହେଉ କିମ୍ବା ବାହାଘର ଓ ଜନ୍ମଦିନ, ଯେତେବେଳେ ଉପହାର ଦେବା କଥା ଭାବୁ, ସେତେବେଳେ ପ୍ରଥମେ ଧାତୁରେ ନିର୍ମିତ ଜିନିଷ ଉପହାର ଦେବା ପାଇଁ ମନକୁ ଆସେ। ସେହିପରି ନାରୀମାନଙ୍କ ସୁନା ଆଭୂଷଣରେ ରହିଥାଏ ଅନେକ ଦୁର୍ବଳତା।

କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ସୁନା ଓ ରୂପା ଧାତୁରେ ନିର୍ମିତ ଅଳଙ୍କାର କିଣିବା ପାଇଁ ଲୋକଙ୍କୁ ଭୟ ଲାଗୁଛି। ସୁନା ମୂଲ୍ୟ ଦିନକୁ ଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ସୁନା ଅଳଙ୍କାର କିଣିବା ପୂର୍ବରୁ ଅନେକ ଥର ଭାବିବାକୁ ପଡ଼ୁଛି।

ବିଶ୍ୱରେ ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଓ ଭୂ-ରାଜନୈତିକ ଉତ୍ତେଜନା ଲାଗି ରହିଥିବା ବେଳେ ସୁନା ଓ ରୂପା ଦର ଆକାଶ ଛୁଆଁ ରହୁଛି। ବିଶ୍ୱ ସମୁଦାୟର ଏହି ସଙ୍କଟ ବେଳେ ସୁନା ହିଁ ଏକମାତ୍ର ନିବେଶ ଯାହାକୁ ସୁରକ୍ଷିତ ବୋଲି ଭାବୁଛନ୍ତି ନିବେଶକ। ମଧ୍ୟପ୍ରାଚ୍ୟରେ ବଢୁଥିବା ଭୂ-ରାଜନୈତିକ ସଂଘର୍ଷ ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ତେଣୁ ସୁନା ଦରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।

ଆଜି ମଧ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନା ଦର। ଗତ ଏପ୍ରିଲ ୨୨ ରେ ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମ ପିଛା ୧,୦୧,୩୫୦ ଟଙ୍କା ଛୁଇଁ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା। ସେତେବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୨,୯୦୦ ଟଙ୍କା, ଓ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୬,୦୧୦ ଟଙ୍କା ହୋଇଥିଲା।

କିନ୍ତୁ ଆଜି ସେହି ରେକର୍ଡ ଭାଙ୍ଗିଛି ସୁନା। ଗତ କାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୧,୪୦୦ ଟଙ୍କା ଥିବା ବେଳେ ଆଜି ୨୮୦ ବୃଦ୍ଧି ପାଇ ୧,୦୧,୬୮୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୨,୯୫୦ ଟଙ୍କା ଥିବା ବେଳେ ଆଜି ୨୫୦ ଟଙ୍କା ବୃଦ୍ଧି ପାଇ ୯୩,୨୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୬,୦୫୦ ଟଙ୍କା ଥିବା ବେଳେ ଆଜି ୨୧୦ ଟଙ୍କା ବୃଦ୍ଧି ପାଇ ୭୬,୨୬୦ ଟଙ୍କା ହୋଇଛି।

ଅଳଙ୍କାର କ୍ରେତାମାନଙ୍କ ପାଇଁ ରୂପା ପ୍ରାୟତଃ ସୁନାର ଶସ୍ତା ବିକଳ୍ପ ଭାବରେ ଉଭା ହୁଏ; ତେଣୁ ସାଧାରଣତଃ ସୁନା ଦରରେ ବ୍ୟାପକ ବୃଦ୍ଧି ଘଟିଲେ ସାଧାରଣତଃ ରୂପାର ଚାହିଦା ବୃଦ୍ଧି ପାଇଥାଏ। ଆଜି ରୂପା ଦର ୧ କେଜି ପିଛା ୧,୧୦,୦୦୦ ଟଙ୍କାରେ ପହଞ୍ଚିଛି।