ଭୁଶୁଡିଲା ଲୁହା ପୋଲ: ଭାସିଗଲେ ୨୫ ଜଣ

ଏକାଧିକ ମୃତ, ଅନେକ ନିଖୋଜ

ପୁନେ, ୧୫/୦୬: ରବିବାର ଅପରାହ୍ନରେ ମହାରାଷ୍ଟ୍ରର ପୁନେରେ ଘଟିଛି ବଡ଼ ଅଘଟଣ। ପୁନେର ତାଲେଗାଓଁ ଅଞ୍ଚଳରେ ଇନ୍ଦ୍ରାୟାନୀ ନଦୀ ଉପରେ ନିର୍ମିତ ଏକ ପୁରୁଣା ଲୁହା ପୋଲ ଭୁଶୁଡ଼ି ପଡ଼ିବାରୁ ନଦୀକୁ ଖସି ୨୦ ଜଣ ଲୋକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଏହି ପୋଲରେ ଯାନବାହାନ ଚଳାଚଳ ପାଇଁ ଅନୁମତି ନଥିବା ବେଳେ କେବଳ ପାଦ ଚଲା ପାଇଁ ବ୍ୟବହାର ହୁଏ। ଏହା ମୁଖ୍ୟତଃ ଏକ ପିକନିକ ସ୍ପଟ ହୋଇଥିବାରୁ ରବିବାର ଅପରାହ୍ନରେ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଯାହା ସୂଚନା ମିଳିଛି, ପୋଲଟି ଭୁଶୁଡିବା ବେଳେ ପୋଲ ଉପରେ ୧୨୫ ଜଣ ପର୍ଯ୍ୟଟକ ଥିଲେ।

ପ୍ରବଳ ବର୍ଷାରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଏହି ନଦୀରେ ଭାସିଯିବା ଫଳରେ ଉଦ୍ଧାର କାର୍ଯ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନର ଟିମ୍ ସକ୍ରିୟ ଭାବେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଘଟଣାସ୍ଥଳରେ ୧୫ଟି ଆମ୍ବୁଲାନ୍ସ ନିୟୋଜିତ ଅଛି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୁଁ ସେମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମେ ସେମାନଙ୍କ ପରିବାରକୁ ସମବେଦନା ଜଣାଉଛୁ ବୋଲି କହିଛନ୍ତି। ଏଥିରେ ୩୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।