ତୁରନ୍ତ ତେହେରାନ ଛାଡ଼ନ୍ତୁ: ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ
ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କଲା ଦୂତାବାସ
ନୂଆଦିଲ୍ଲୀ, ୧୭/୦୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ତୀବ୍ର ହେଉଥିବା ବେଳେ ଇରାନର ରାଜଧାନୀ ତେହେରାନରେ ରହୁଥିବା ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ତୁରନ୍ତ ସହର ଛାଡି ଚାଲିଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ନୂଆ ଆଡଭାଇଜରି ଜାରି କରାଯାଇଛି। ସୁରକ୍ଷିତ ସ୍ଥାନକୁ ଯିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଅପିଲ କରାଯାଇଛି।
+98 9010144557, +98 9128109115 ଏବଂ +98 9128109109 ଭଳି ତିନୋଟି ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ତେହେରାନରେ ଥିବା ଏବଂ ଦୂତାବାସ ସଂସ୍ପର୍ଶରେ ନଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ଲଗାତାର ଏୟାର ଷ୍ଟ୍ରାଇକ୍ କରିବାର ପଞ୍ଚମ ଦିନରେ ଇରାନର ୨୨୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଇସ୍ରାଏଲର ୨୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେଣୁ ଦେଶରେ ଫସି ରହିଥିବା ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଭାରତ ଇରାନକୁ ଅନୁରୋଧ କରିଥିଲା। ତେବେ ତେହେରାନ ତା’ର ଆକାଶପଥ ବନ୍ଦ ଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କୁ ଆଜରବାଇଜାନ, ତୁର୍କମେନିସ୍ତାନ ଏବଂ ଆଫଗାନିସ୍ତାନକୁ ସ୍ଥଳ ସୀମା ଦେଇ ଯିବାକୁ ପରାମର୍ଶ ଦେଇଥିଲା।