ୟୁକ୍ରେନ ଉପରେ ବଡ଼ ହମଲା: ୪୪୦ ଡ୍ରୋନ ଓ ୩୧ କ୍ଷେପଣାସ୍ତ୍ର ଆକ୍ରମଣ
୧୫ ମୃତ, ଅନେକ ଆହତ
କିଭ, ୧୮/୦୬: ଗୋଟିଏ ପଟେ ଇସ୍ରାଏଲ ଓ ଇରାନ, ଅନ୍ୟପଟେ ରୁଷିଆ ଓ ୟୁକ୍ରେନ। ଇସ୍ରାଏଲ ଓ ଇରାନ ଯୁଦ୍ଧକୁ ମାତ୍ର ୬ ଦିନ ହୋଇଛି। ହେଲେ ୪ ବର୍ଷ ତଳୁ ଆରମ୍ଭ ହୋଇଥିବା ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। ୟୁକ୍ରେନ ଉପରେ ପ୍ରହାର ପ୍ରହାର କରୁଛି ରୁଷିଆ।
ୟୁକ୍ରେନରେ ରାତିସାରା ରୁଷିଆ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବୋମାମାଡ଼ କରିଥିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୬ ଜଣ ଆହତ ହୋଇଛନ୍ତି। ଏହି ଭୟଙ୍କର ଆକ୍ରମଣରେ ୯ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟ ବିଲ୍ଡିଂକୁ ଭୁଶୁଡ଼ି ଯାଇଛି।
ପ୍ରାୟ ୯ ଘଣ୍ଟା ଧରି ୟୁକ୍ରେନର ରାଜଧାନୀ କିଭରେ ଏହି ଭୟଙ୍କର ଆକ୍ରମଣ ହୋଇଥିଲା ବୋଲି କିଭ୍ ସିଟି ମିଲିଟାରି ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଟାଇମୁର ଟକାଚେଙ୍କୋ କହିଛନ୍ତି।
କିଭ ଉପରେ ହୋଇଥିବା ଆକ୍ରମଣକୁ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କହି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ ରୁଷ୍ ୪୪୦ରୁ ଅଧିକ ଡ୍ରୋନ୍ ଏବଂ ୩୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
ୟୁକ୍ରେନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ କିଭରେ ୧୩୯ ଜଣ ଆହତ ହୋଇଛନ୍ତି। ରୁଷ୍ ସେନା କହିଛି ଯେ ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ ମଧ୍ୟରେ ରୁଷିଆର ୧୦ଟି ଅଞ୍ଚଳରେ ୨୦୩ଟି ୟୁକ୍ରେନ୍ ଡ୍ରୋନ୍ କୁ ଖସାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଚାରି ବରଷ ଧରି ରୁଷ୍ ବାରମ୍ବାର ୟୁକ୍ରେନର ବେସାମରିକ ଅଞ୍ଚଳରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଆକ୍ରମଣ କରି ଆସୁଛି। ମିଳିତ ଜାତିସଂଘ ଅନୁଯାୟୀ, ଏହି ଆକ୍ରମଣରେ ୧୨,୦୦୦ରୁ ଅଧିକ ୟୁକ୍ରେନ୍ ନାଗରିକ ପ୍ରାଣ ହରାଇଛନ୍ତି।
ଗତ ଜୁନ୍ ୧୦ ତାରିଖରେ ୟୁକ୍ରେନ ଉପରେ ପ୍ରାୟ ୫୦୦ ଡ୍ରୋନ୍ ଉତକ୍ଷେପଣ କରିଥିଲା। ଗତ ଏପ୍ରିଲ ୨୪ ତାରିଖରେ ମଧ୍ୟ ରୁଷିଆ କିଭ୍ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି।