ଆନ୍ଧ୍ରପ୍ରଦେଶ, ୧୮/୦୬: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାର ମାରେଡୁମିଲି ଜଙ୍ଗଲରେ ବୁଧବାର ସକାଳେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୩ ହାର୍ଡକୋର ମାଓବାଦୀ। ଜଣେ ଶୀର୍ଷ କେନ୍ଦ୍ରୀୟ କମିଟି ସଦସ୍ୟ ଓ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଏହି ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ଗରଜଲା ରବି ଓରଫ ଉଦୟଙ୍କ ସମେତ ଅନ୍ୟ ଜଣେ ଶୀର୍ଷ ମାଓନେତା ରବି ଭେଙ୍କଟ ଚୈତନ୍ୟା ଓରଫ ଅରୁଣା ଏବଂ ଅଞ୍ଜୁ ନିହତ ହୋଇଛନ୍ତି।
ରବି ଉପରେ ୨୫ ଲକ୍ଷର ପୁରସ୍କାର ରାଶି ଥିବା ବେଳେ ଅରୁଣା ଉପରେ ୨୦ ଲକ୍ଷ ଓ ଅଞ୍ଜୁ ଉପରେ ୫ ଲକ୍ଷର ପୁରସ୍କାର ଥିଲା।
ଅରୁଣା ହେଉଛି, କେନ୍ଦ୍ରୀୟ କମିଟିର ଅନ୍ୟ ଜଣେ ସଦସ୍ୟ ପ୍ରତାପରେଡ୍ଡୀ ରାମଚନ୍ଦ୍ର ରେଡ୍ଡୀ ଓରଫ ଚଲାପତିଙ୍କ ପତ୍ନୀ, ଯିଏ ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଦଠାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିଲେ।
ଏନକାଉଣ୍ଟର ସ୍ଥଳରୁ ୩ଟି AK-47 ରାଇଫଲ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବେ ବି ସେହି ଅଞ୍ଚଳରେ କିଛି ମାଓବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି। ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।