ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଏହି ଦେଶ ପାଲଟିଛି ସୁରକ୍ଷିତ ସ୍ଥାନ

ଇରାନ ଛାଡ଼ି ଗଲେଣି ୧୭ ଦେଶର ୬୦୦ରୁ ଉର୍ଦ୍ଧ୍ବ ଲୋକ

ଜେରୁସାଲେମ, ୧୮/୦୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହେବାର ପାଞ୍ଚ ଦିନ ବିତିଗଲାଣି। ଇସ୍ରାଏଲର ଆକ୍ରମଣରେ ଥରହର ଇରାନ। ତେବେ ଇରାନରେ ଥିବା ଅନ୍ୟ ବିଦେଶୀ ରାଷ୍ଟ୍ରର ଲୋକମାନେ ଇରାନ ଛାଡ଼ି ଅନ୍ୟ ଏକ ଦେଶକୁ ପଳାଉଛନ୍ତି। ନିଜ ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶରେ ଯାଇ ଆଶ୍ରୟ ନେଉଛନ୍ତି।

୧୭ଟି ଦେଶର ୬୦୦ରୁ ଅଧିକ ଲୋକ ଇରାନରୁ ଆଜରବାଇଜାନକୁ ପଳାଇଛନ୍ତି ବୋଲି ଆଜରବାଇଜାନ କହିଛି।

୧୭ ଦେଶମାନଙ୍କ ମଧ୍ୟରେ ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ପେନ୍, ଇଟାଲୀ, ସର୍ବିଆ, ରୋମାନିଆ, ପର୍ତ୍ତୁଗାଲ, ଚୀନ୍, ଭିଏତନାମ, ସଂଯୁକ୍ତ ଆରବ ଏମିରେଟ୍ସ, ଜର୍ଜିଆ, ବେଲାରୁସ୍, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ନାଗରିକ ରହିଛନ୍ତି।

ଆଜରବାଇଜାନ କୋଭିଡ୍-୧୯ ମହାମାରୀ ପରଠାରୁ ସ୍ଥଳସୀମା ବନ୍ଦ ରଖିଛି, କିନ୍ତୁ ଏହାର ଦକ୍ଷିଣ-ପୂର୍ବରେ ଥିବା ଅସ୍ତାରାଠାରେ ଏକ ‘ମାନବୀୟ କରିଡର’ କ୍ରସିଂ ଦେଇ ବିଦେଶୀମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଛି। ତେହେରାନରୁ ଆଜରବାଇଜାନ ଯାଏଁ ଯିବାକୁ ହେଲେ ୮ ଘଣ୍ଟାର ସଡ଼କ ଯାତ୍ରା କରିବାକୁ ପଡ଼ିଥାଏ।

ସୂତ୍ରରୁ ପ୍ରକାଶ ଯେ ଲୋକମାନଙ୍କୁ ବସ୍ ଯୋଗେ ଆଜରବାଇଜାନର ରାଜଧାନୀ ବାକୁକୁ ନିଆଯାଇ ସେମାନଙ୍କ ନିଜ ଦେଶକୁ ବିମାନ ଯୋଗେ ସ୍ଥାନାନ୍ତର କରାଯାଉଛି।

ଆଜରବାଇଜାନର ଏକ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ୨୬ ଜଣ ଚୀନ୍ ନାଗରିକ ଅତିକ୍ରମ କରିଛନ୍ତି।