ସ୍ୱଦେଶ ଫେରିବେ ଭାରତୀୟ

ଆରମ୍ଭ ହେଲା ‘ଅପରେସନ ସିନ୍ଧୁ’

ନୂଆଦିଲ୍ଲୀ, ୧୮/୦୬: ତେହେରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଶତ୍ରୁତା ମଧ୍ୟରେ ଇରାନରୁ ନିଜ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତ ବୁଧବାର ‘ଅପରେସନ୍ ସିନ୍ଧୁ’ ଆରମ୍ଭ କରିଛି। ଇରାନରେ ଇସ୍ରାଏଲର ସାମରିକ ଆକ୍ରମଣ ଓ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଏହି ଅପରେସନ କରାଯାଇଛି।

ପ୍ରଥମ ପଦକ୍ଷେପ ସ୍ୱରୂପ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉତ୍ତର ଇରାନରୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସୀମା ପାର ହୋଇ ଆର୍ମେନିଆକୁ ପଠାଯାଇଥିଲା। ଇରାନ ଓ ଆର୍ମେନିଆରେ ଥିବା ଭାରତୀୟ ଦୂତାବାସ ମିଳିତ ଭାବେ ଏହି ଯାତ୍ରାର ତଦାରଖ କରିଥିଲେ। ଭାରତୀୟ ଛାତ୍ରଛାତ୍ରୀମାନେ ଜୁନ୍ ୧୮ ତାରିଖ ଦିନ ୨ଟା ୫୫ମିନିଟରେ ଆର୍ମେନିଆର ରାଜଧାନୀ ୟେରେଭାନରୁ ଏକ ସ୍ୱତନ୍ତ୍ର ବିମାନରେ ବାହାରିଛନ୍ତି। ଜୁନ୍ ୧୯ ତାରିଖ ସକାଳେ ନୂଆଦିଲ୍ଲୀରେ ଅବତରଣ କରିବେ।

ସ୍ଥାନାନ୍ତର ପ୍ରକ୍ରିୟାକୁ ସହଜ କରିଥିବାରୁ ଭାରତ ସରକାର ଉଭୟ ଇରାନ ଓ ଆର୍ମେନିଆ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବର୍ତ୍ତମାନ ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଏହାର ଜରୁରୀକାଳୀନ ହେଲ୍ପଲାଇନ ମାଧ୍ୟମରେ ତେହେରାନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଆଗାମୀ ଅପଡେଟ୍ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀରେ ସ୍ଥାପିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମକୁ ମଧ୍ୟ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ବୁଧବାର ଲଗାତାର ଷଷ୍ଠ ଦିନ ପାଇଁ ଇସ୍ରାଏଲ ଓ ଇରାନ ମଧ୍ୟରେ କ୍ଷେପଣାସ୍ତ୍ର କାରବାର ଜାରି ରହିଛି, ଯେଉଁଥିରେ ୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇରାନରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ସେହିପରି ଇରାନ ଆକ୍ରମଣରେ ଏପର୍ଯ୍ୟନ୍ତ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି।