ଯୁଦ୍ଧକୁ ଲମ୍ଫ ମାରିବ ଆମେରିକା! ପ୍ଲାନିଂ ଶେଷ, ଖାଲି ଅନୁମତିକୁ ଅପେକ୍ଷା
ପରିଣାମ ଭୟଙ୍କର ହେବ କହି ଆଗୁଆ ଚେତାବନୀ ଦେଲା ଋଷ
ୱାଶିଂଟନ, ୨୦/୦୬: ଇସ୍ରାଏଲ ଓ ଇରାନ ମଧ୍ୟରେ ତୀବ୍ର ହେଉଛି ଯୁଦ୍ଧ। ଉଭୟ ପରସ୍ପର ଉପରେ ଜୋରଦାର ଆକ୍ରମଣ କରୁଛନ୍ତି। ମିସାଇଲ ଓ ଡ୍ରୋନ ଆକ୍ରମଣରେ ଥରି ଉଠୁଛି ଉଭୟ ଦେଶ। ତେବେ ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲମ୍ଫ ମାରି ପାରେ ଆମେରିକା। ଆମେରିକା ଇସ୍ରାଏଲ ସହ ମିଶି ଇରାନ ଉପରେ ଭୟାବହ ଆକ୍ରମଣ କରିପାରେ। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭିତିରିଆ ଯୋଜନା କରୁଥିବା ସୂଚନା ମିଳିଛି। କେବଳ ଆକ୍ରମଣ ପାଇଁ ଅନୁମତିକୁ ଅପେକ୍ଷା ରହିଛି।
ନିକଟରେ ଇରାନର ପରିସ୍ଥିତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆଗାମୀ ସ୍ଥିତି ନେଇ ମୋ ପାଖରେ ପ୍ଲାନିଂ ଅଛି। କିନ୍ତୁ ଏବେ ହୋଇନାହିଁ। ଆମେ ଇରାନକୁ ୬୦ ଦିନ ଧରି ଇରାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ ବନ୍ଦ କରିବା ନେଇ ଚୁକ୍ତି ସ୍ବାକ୍ଷରିତ କରିବାକୁ। ହେଲେ, ଇରାନ ଶୁଣି ନଥିଲା। ଆମେ ଅସ୍ତ୍ରବିରତି ଚାହୁଁ ନାହୁଁ। ଆମେ ସବୁ ଦିନ ପାଇଁ ଯୁଦ୍ଧରେ ବିଜୟ ଚାହୁଁ। ଇରାନକୁ ବିନା କୌଣସି ସର୍ତ୍ତରେ ପରମାଣୁ ଯୋଜନାକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ହେବ ବୋଲି ଟ୍ରମ୍ପ କହିଛନ୍ତି।
ଏହାରି ମଧ୍ୟରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଲାଣି। ଭୂମଧ୍ୟସାଗରୀୟ ଓ ଆରବ ସାଗରରେ ନୌସେନା ଯୁଦ୍ଧ ଜାହାଜ ନିୟୋଜିତ କରିଛି। ଯାହା ଆମେରିକାର ଆକ୍ରମଣକୁ ଆହୁରି ନିଶ୍ଚିତ କରୁଛି।
ତେବେ ରୁଷ ଗୁରୁବାର ଦିନ ଇରାନ-ଇସ୍ରାଏଲ ଯୁଦ୍ଧରେ ହସ୍ତକ୍ଷେପ କରିବା ଯୋଜନାକୁ ନେଇ ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର ହସ୍ତକ୍ଷେପ ଆଗକୁ ବିପଦଜନକ ହେବ। ପରିଣାମ ଭୟଙ୍କର ହେବ ବୋଲି ରୁଷର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ସାମ୍ବାଦିକମାନଙ୍କୁ କହିଛନ୍ତି। ରୁଷର ପରମାଣୁ ଶକ୍ତି ନିଗମର ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ ଇରାନର ବୁଶେହର ପରମାଣୁ ଶକ୍ତି କେନ୍ଦ୍ର ଉପରେ ଇସ୍ରାଏଲୀୟ ଆକ୍ରମଣ ଏକ ବିପର୍ଯ୍ୟୟ ସୃଷ୍ଟି କରିପାରେ।
ଇରାନର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଶୀଘ୍ର ଶତ୍ରୁତା ବନ୍ଦ କରିବା ଏବଂ ରାଜନୈତିକ ଏବଂ କୂଟନୈତିକ ପ୍ରୟାସକୁ ଆଗକୁ ବଢ଼ାଇବା ଜରୁରୀ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ୟୁଏଇ ପ୍ରତିପକ୍ଷ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ ଟେଲିଫୋନରେ କହିଥିଲେ। ସେହିପରି ଗତ ସପ୍ତାହରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ଫୋନ୍ କରି ଶାନ୍ତି ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ରୋକ ଲଗାଇଥିଲେ ଟ୍ରମ୍ପ। ସେ ରୁଷର ମଧ୍ୟସ୍ଥତାକୁ ମନା କରି ଦେଇଥିଲେ।
ରଏଟର୍ସ ଅନୁଯାୟୀ, ବୁଶେହର ହେଉଛି ଇରାନର ଏକମାତ୍ର କାର୍ଯ୍ୟକାରୀ ପରମାଣୁ ଶକ୍ତି କେନ୍ଦ୍ର, ଯାହା ରୁଷ ଦ୍ୱାରା ନିର୍ମିତ।