ରାଜ୍ୟରେ ମୌସୁମୀ ସକ୍ରିୟ, ଆହୁରି ୫ ଦିନ ବର୍ଷିବ

ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଲଘୁଚାପ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଛତିଶଗଡ଼ ଆଡକୁ ଗତି କରୁଛି । ୧୨ ଘଣ୍ଟା ଭିତରେ ଏହା କ୍ରମଶଃ ଦୁର୍ବଳ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଆସନ୍ତା ୫ ଦିନ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ । ତେବେ ଲଘୁଚାପ ପ୍ରଭାବରେ ସୋମବାର ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ଲଘୁଚାପ ଯୋଗୁ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଏଥିିପାଇଁ ଆସନ୍ତା ୫ ଦିନ ଉପକୂଳ ଓଡ଼ିଶାରେ ବର୍ଷା ହେବ । କିନ୍ତୁ ଦକ୍ଷିଣରେ କମ୍‌ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମରୁ ଭାରୀ ବର୍ଷା ହେବାର ସମ୍ଭାବନା ଅଛି । ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।