ପୁରୀ, ୨୮/୦୬: ପୁଣି ଜୀବନ ନେଲା ଆମ ବସ। ଆମ ବସ୍ ଧକ୍କାରେ ୩ ଜଣଙ୍କ ପ୍ରାଣହାନୀ। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥରେ ଆମ ବସ୍ ଧକ୍କାରେ ୩ ଜଣ ଯୁବତୀଙ୍କ ଜୀବନ ଚାଲି ଯାଇଛି। ଆଜି ଅପରାହ୍ଣରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଆମ ବସ୍ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ର ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଘଟିଛି। ମୃତକମାନେ ହେଲେ ରିମ୍ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦) ଓ କାଜଲ ଦାସ (୨୦)।
ମିଳିଥିବା ସୂଚନା ଅନୁଯାୟୀ, ସେମାନେ ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ। ପ୍ରଥମେ ସେମାନଙ୍କର ଏକ ସ୍କୁଟି ଚାଳକ ସହ ସାମାନ୍ୟ ଧକ୍କା ହେବା ପରେ ସେମାନେ ତଳେ ପଡ଼ି ଯାଇଥିଲେ। ହେଲେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଆମ ବସ୍ ସେମାନଙ୍କ ଉପରେ ଚଢାଇ ଦେଇଥିଲା।