ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ

୧୩ ସୈନିକ ମୃତ, ୧୦ ଆହତ

ଲାହୋର, ୨୮/୦୬: ଶନିବାର ଦିନ ପାକିସ୍ତାନର ଖାଇବର ପଖତୁନଖ୍ୱାର ଉତ୍ତର ୱାଜିରିସ୍ତାନ ଜିଲ୍ଲାରେ ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏକ ବିସ୍ଫୋରକ ଭର୍ତ୍ତି ମିଲିଟାରୀ କନଭୟ ଉପରକୁ ଚଢିଯିବା ଫଳରେ ୧୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଏହା ବାଦ ୧୯ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିସ୍ଫୋରଣ ଯୋଗୁଁ ଦୁଇଟି ଘରର ଛାତ ଭୁଶୁଡ଼ି ପଡ଼ିଥିଲା, ଯେଉଁଥିରେ ଛଅ ଜଣ ଶିଶୁ ଆହତ ହୋଇଥିଲେ। ଆକ୍ରମଣ ପରେ ଚାରି ଜଣ ଆହତ ସୈନିକଙ୍କ ଅବସ୍ଥା ଗୁରୁତର ରହିଛି।

ପାକିସ୍ତାନ ତାଲିବାନ (TTP)ର ହାଫିଜ୍ ଗୁଲ୍ ବାହାଦୁର ଗୋଷ୍ଠୀକୁ ଏହି ବିସ୍ଫୋରଣ ପାଇଁ ଦାୟୀ କରାଯାଇଛି।

ସୂଚନାଯୋଗ୍ୟ, ୨୦୨୧ରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ପାକିସ୍ତାନର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହିଂସା ବୃଦ୍ଧି ପାଇଛି। ରିପୋର୍ଟ ମୁତାବକ, ଚଳିତବର୍ଷ ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ ସରକାର ବିରୋଧୀ ସଶସ୍ତ୍ର ଗୋଷ୍ଠୀ ଦ୍ୱାରା ଆକ୍ରମଣରେ ପ୍ରାୟ ୨୯୦ ଜଣଙ୍କ ପ୍ରାଣହାନୀ ହେଲାଣି।

ଗତ ମାର୍ଚ୍ଚ ମାସରେ, ବାଲୁଚ୍ ଲିବରେସନ୍ ଆର୍ମି (BLA)ର ଆତଙ୍କବାଦୀମାନେ ଗୁଡାଲାର ଏବଂ ପିରୁ କୁନରି ନିକଟରେ ଜାଫର ଏକ୍ସପ୍ରେସ୍ ଟ୍ରେନ୍‌କୁ ହାଇଜାକ କରିନେବା ପରେ ଅନେକ ଅର୍ଦ୍ଧସାମରିକ ବାହିନୀ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା।