ଅଲ-କାଏଦା ଆତଙ୍କୀ ଗୋଷ୍ଠୀ କବଜାରେ ଓଡ଼ିଆ ଯୁବକ

ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭେଙ୍କଟରମଣ

ନୂଆଦିଲ୍ଲୀ, ୦୫/୦୭: ପଶ୍ଚିମ ଆଫ୍ରିକାର ମାଲି ଦେଶର କାୟେସରେ ଥିବା ଏକ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ ଗତ ୧ ଜୁଲାଇରେ କାମ କରୁଥିବା ବେଳେ ତିନି ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇ ଯାଇଥିଲେ ଅଲ-କାଏଦା ଆତଙ୍କବାଦୀ ଗୋଷ୍ଠୀ। ଏହି ତିନି ଅପହୃତଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯୁବକ ମଧ୍ୟ ଅଛନ୍ତି। ଗଞ୍ଜାମର ହିଞ୍ଜିଳିକାଟୁ ଥାନା ସମରଝୋଳ ଗାଁର ୨୮ ବର୍ଷୀୟ ପି. ଭେଙ୍କଟରମଣଙ୍କୁ ଅଲ-କାଏଦା ଆଣଙ୍କୀ ଗୋଷ୍ଠୀ ଅପହରଣ କରି ନେଇଥିବା ସୂଚନା ମିଳିଛି। ଏ ନେଇ ତାଙ୍କ ମା’ ପି ନାରସମା ହିଞ୍ଜିଳିକାଟୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଭେଙ୍କଟରମଣ ମୁମ୍ବାଇ ସ୍ଥିତ ଏକ ବ୍ଲୁ ଷ୍ଟାର ନାମକ ଘରୋଇ କମ୍ପାନୀରେ ଗତ ୬ ମାସ ହେବ କାମ କରୁଥିଲେ। ଏହି କମ୍ପାନୀ ତରଫରୁ ତାଙ୍କୁ ପଶ୍ଚିମ ଆଫ୍ରିକାର ମାଲିରେ ଥିବା ଡାଇମଣ୍ଡ ସିମେଣ୍ଟ କମ୍ପାନୀକୁ ପଠା ଯାଇଥିଲା। ସେଠାରେ କାମ କରୁଥିବା ବେଳେ ଗତ ଚାରି ଦିନ ତଳେ ଅଲ-କାଏଦା ସହ ଜଡ଼ିତ ଏକ ଆତଙ୍କବାଦୀ ସଙ୍ଗଠନ ଅଲ-ଇସଲାମ ୱାଲ-ମୁସଲିମିନର କିଛି ସଦସ୍ୟ ଫ୍ୟାକ୍ଟ୍ରିରେ ଆକ୍ରମଣ କରି ତିନି ଜଣଙ୍କୁ ଅପହରଣ କରି ନେଇଥିଲେ। ଏହା ପରେ ବ୍ଲୁ ଷ୍ଟାର କମ୍ପାନୀ ତରଫରୁ ଭେଙ୍କଟରମଣଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଜଣାଇଥିଲେ। ଏହା ପରେ ଭେଙ୍କଟଙ୍କ ମାଆ ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୁଅକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଏହି ଆକ୍ରମଣକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କଡା ନିନ୍ଦା କରିବା ସହ ଅପହୃତ ନାଗରିକମାନଙ୍କୁ ତୁରନ୍ତ ଓ ନିରାପଦ ଭାବେ ଉଦ୍ଧାର କରିବା ପାଇଁ ମାଲି ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ଦେଇଥିଲା। ବୈଦେଶିକ ମନ୍ତ୍ରାଳୟ କହିଥିଲା ଯେ, ଏହି ଆକ୍ରମଣ ଜୁଲାଇ ୧ରେ ଘଟିଥିଲା। ଏକ ଫ୍ୟାକ୍ଟ୍ରି ଉପରେ ସଶସ୍ତ୍ରଧାରୀ ସମ୍ମିଳିତ ଆକ୍ରମଣ କରିବା ପରେ ଭାରତୀୟଙ୍କୁ ଅପହରଣ କରି ନିଆ ଯାଇଥିଲା। ଭାରତ ଏହାକୁ ଦୃଢ ନିନ୍ଦା କରିବା ସହ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ମାଲି ସରକାରଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି ବୋଲି ମନ୍ତ୍ରାଳୟ କହିଥିଲା। ମାଲି ସରକାରଙ୍କ ସହ ରାଜଧାନୀ ବାମାକୋରେ ଥିବା ଭାରତୀୟ ଦୂତାବାସ ନିରନ୍ତର ଯୋଗାଯୋଗରେ ଅଛି ବୋଲି କୁହାଯାଇଥିଲା। ଅନ୍ୟପଟେ ଓଡ଼ିଆ ଯୁବକଙ୍କର ଅପହରଣ ନେଇ ରାଜ୍ୟ ସରକାରଙ୍କ ତରଫରୁ କମ୍ପାନୀ ସହ କୌଣସି ଯୋଗାଯୋଗ ହୋଇ ପାରିନାହିଁ।