ଓଲିଉଡ଼ ଅଭିନେତା ପାର୍ଥସାରଥୀ ଗିରଫ
ଜାମିନବିହୀନ ଗିରଫ ପରୱାନା ଆଧାରରେ ଗିରଫ ହେଲେ ପାର୍ଥ
ଯୁବତୀ ଆଣିଥିଲେ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର, ୧୦/୦୭: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ ହୋଇଛନ୍ତି। ପାର୍ଥସାରଥୀଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ଜାମିନବିହୀନ ଗିରଫ ପରୱାନା (NBW) ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (JMFC) କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପାର୍ଥସାରଥୀ କୋର୍ଟ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଗିରଫ କରାଯାଇଛି।

ତାଙ୍କ ବିରୋଧରେ ଅପହରଣ, ଟଙ୍କା ମାଗିବା, ହତ୍ୟା ଉଦ୍ୟମ କରିବା, ବନ୍ଧୁକ ଦେଖାଇବା ଓ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି। ଗତ ୪ ମାସ ପୂର୍ବରୁ ଜଣେ ଯୁବତୀ ଖାରବେଳନଗର ଥାନାରେ ପାର୍ଥଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗ ଆଣିଥିଲେ। ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ପାର୍ଥ ତାଙ୍କୁ ଅପହରଣ କରିବା ପରେ ଟଙ୍କା ମାଗିଥିଲେ। ଏହା ପରେ ତାଙ୍କୁ ହତ୍ୟା ଧମକ ଦେଇଥିଲେ ଓ ତାଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରିଥିଲେ।
ପାର୍ଥସାରଥୀଙ୍କ ବିରୋଧରେ JMFC କୋର୍ଟ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ଗିରଫ ପରେ ପାର୍ଥସାରଥୀଙ୍କୁ ବଡ଼ଗଡ଼ ଥାନା ପୋଲିସ କୋର୍ଟଚାଲାଣ କରିଛି।