ଭୁବନେଶ୍ୱର, ୧୪/୦୭: ଭୁବନେଶ୍ୱର ଏମ୍ସରେ ଚିକିତ୍ସାରତ ଥିବା ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ଛାତ୍ରୀଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏମ୍ସ ଭୁବନେଶ୍ୱରରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ, ରାଷ୍ଟ୍ରପତି ହସ୍ପିଟାଲର ବର୍ଣ୍ଣ ୟୁନିଟରେ ଛାତ୍ରୀଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।
ଏ ନେଇ ଏମ୍ସ ସିଇଓ ଆଶୁତୋଷ ବିଶ୍ୱାସ କହିଛନ୍ତି, ରାଷ୍ଟ୍ରପତି ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ଆଶ୍ୱାସନା ଦେଇଥିଲେ। ରାଷ୍ଟ୍ରପତିଙ୍କୁ ମଧ୍ୟ ଚିକିତ୍ସା ସମ୍ପର୍କରେ ବିସ୍ତୃତ ସୂଚନା ଦିଆ ଯାଇଥିଲା। ରାଷ୍ଟ୍ରପତି ଚିକିତ୍ସା ତଦାରଖ କରୁଥିବା ୮ ଜଣିଆ ବିଶେଷଜ୍ଞ ଡାକ୍ତର ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ।
ଏହି ଗସ୍ତ ସମୟରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ମୋ ଝିଅର ଆରୋଗ୍ୟକାମନା କରିଛନ୍ତି ବୋଲି ପୀଡ଼ିତାଙ୍କୁ ରାଷ୍ଟ୍ରପତି ଭେଟିବା ପରେ ତାଙ୍କ ବାପା କହିଛନ୍ତି।