ଦେଶ ନାହିଁ ଅଛି ଦୂତାବାସ
ନକଲି ଦୂତାବାସ ଚଳାଉଥିବା ବ୍ୟକ୍ତି ଗିରଫ
ଦେଶ ନଥିବା ନକଲି ଦୂତାବାସ ଚଳାଉଥିଲେ ବ୍ୟକ୍ତି, ନିଜକୁ ରାଷ୍ଟ୍ରଦୂତ ପରିଚୟ ଦେଉଥିଲେ
ନୂଆଦିଲ୍ଲୀ, ୨୩/୦୭: ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗାଜିଆବାଦର ଏକ ବଙ୍ଗଳାରୁ ଚାଲୁଥିବା ଏକ ନକଲି ଦୂତାବାସକୁ ଠାବ କରିଛି ଏବଂ ମୂଳ ମାଷ୍ଟରମାଇଣ୍ଡ ହର୍ଷ ବର୍ଦ୍ଧନ ଜୈନଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ଅଧିକାରୀଙ୍କ କହିବା ଅନୁସାରେ, ହର୍ଷ ବର୍ଦ୍ଧନ ଜୈନ ଗାଜିଆବାଦର କବି ନଗରରେ ଥିବା ଏକ ବଙ୍ଗଳାକୁ ପଶ୍ଚିମ ଆର୍କଟିକା ନାମକ ଏକ ଆତ୍ମଘୋଷିତ ଛୋଟ ଦେଶ ପାଇଁ ‘ଦୂତାବାସ’ରେ ପରିଣତ କରିଥିଲେ ଏବଂ ସାବୋର୍ଗା, ପୌଲଭିଆ ଏବଂ ଲଣ୍ଡୋନିଆ ଭଳି ଅନ୍ୟାନ୍ୟ ଆତ୍ମଘୋଷିତ ଛୋଟ ଦେଶ ପାଇଁ ମଧ୍ୟ ସେହି ବଙ୍ଗଳାକୁ ଦୂତାବାସର ଆଖ୍ୟା ଦେଇଥିଲେ। ସେହି ବଙ୍ଗଳାକୁ ସେ ଭଡ଼ାରେ ନେଇଥିଲେ। ସେ ନିଜକୁ ଏହି ଛୋଟ ଦେଶ ଗୁଡିକର ରାଷ୍ଟ୍ରଦୂତ ଭାବେ ପରିଚୟ ଦେଇ ନକଲି କୂଟନୈତିକ ନମ୍ବର ପ୍ଲେଟ ଲାଗିଥିବା ବିଳାସପୂର୍ଣ୍ଣ କାର ବ୍ୟବହାର କରୁଥିଲେ ଯାହା ତାଙ୍କ କାର୍ଯ୍ୟ ବୈଧତା ବୋଲି ଜଣା ପଡ଼ୁଥିଲା।
ମିଳିଥିବା ସୂଚନା ଆଧାରରେ, ଏସଟିଏଫ ଅଧିକାରୀମାନେ ଜୁଲାଇ ୨୨ ତାରିଖରେ ଉକ୍ତ ସ୍ଥାନରେ ଚଢ଼ାଉ କରି ହର୍ଷ ବର୍ଦ୍ଧନଙ୍କୁ ଗିରଫ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭିନ୍ନ ରାଷ୍ଟ୍ରପ୍ରମୁଖଙ୍କ ସହିତ ମର୍ଫ କରାଯାଇଥିବା ଫଟୋ ବ୍ୟବହାର କରି ସରଳ ଲୋକଙ୍କୁ ପ୍ରଭାବିତ କରୁଥିଲେ ଏବଂ ନିଜକୁ ଏକ ଶକ୍ତିଶାଳୀ କୂଟନୀତିଜ୍ଞ ଭାବେ ପ୍ରଦର୍ଶନ କରୁଥିଲେ। ଏହି ଠକ ବ୍ୟକ୍ତିଙ୍କ ପାଖରେ ପୂର୍ବତନ ରାଷ୍ଟ୍ରପତି ଡ କ୍ଟର ଏପିଜେ ଅବଦୁଲ କାଲାମଙ୍କ ସହ ମର୍ଫ କରାଯାଇଥିବା ଏକ ଫଟୋ ମଧ୍ୟ ଥିଲା। ତଦନ୍ତରୁ ଜଣାପଡିଛି ଯେ ହର୍ଷ ବର୍ଦ୍ଧନ ମୁଖ୍ୟତଃ ବିଦେଶରେ ବ୍ୟବସାୟିକ ଚୁକ୍ତି ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ବିଭିନ୍ନ ବ୍ୟକ୍ତି ଏବଂ କମ୍ପାନୀମାନଙ୍କୁ ଠକୁଥିଲା। ସେ ମଧ୍ୟ ଶେଲ କମ୍ପାନୀମାନଙ୍କ ମାଧ୍ୟମରେ ଏକ ହବାଲା ନେଟୱାର୍କ ଚଳାଉଥିବା ଅଭିଯୋଗ ରହିଛି।
ଏସଟିଏଫ ଚଢ଼ାଉ ସମୟରେ ଅନେକ ନକଲି କୂଟନୈତିକ ସାମଗ୍ରୀ ଉଦ୍ଧାର କରିଛି, ଯେପରିକି: କୂଟନୈତିକ ପ୍ଲେଟ ଲାଗିଥିବା ଚାରିଟି ବିଳାସପୂର୍ଣ୍ଣ ଗାଡି, ଛୋଟ ରାଷ୍ଟ୍ରଗୁଡିକର ୧୩ଟି କୂଟନୈତିକ ପାସପୋର୍ଟ, ବିଦେଶ ମନ୍ତ୍ରଣାଳୟର ମୋହର ଥିବା ନକଲି ଦଲିଲ, ଦୁଇଟି ନକଲି ପ୍ୟାନ କାର୍ଡ, ଦୁଇଟି ନକଲି ପ୍ରେସ କାର୍ଡ, ୪୪.୭ ଲକ୍ଷ ଟଙ୍କା ନଗଦ, ବିଭିନ୍ନ ଦେଶର ମୁଦ୍ରା ମିଳିଥିଲା।
ହର୍ଷ ବର୍ଦ୍ଧନଙ୍କ ବିଵାଦୀୟ ଧର୍ମଗୁରୁ ଚନ୍ଦ୍ରସ୍ଵାମୀ ଏବଂ ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟୀ ଆଦନାନ ଖାସୋଗିଙ୍କ ସହ ସମ୍ପର୍କ ଥିବା ସନ୍ଦେହ ରହିଛି। ୨୦୧୧ ମସିହାରେ ତାଙ୍କ ବିରୁଦ୍ଧରେ ଏକ ଅବୈଧ ସାଟେଲାଇଟ ଫୋନ ରଖିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା, ପୋଲିସ କହିଛି।