ହରିଦ୍ଵାର, ୨୭/୦୭: ହରିଦ୍ୱାରର ପ୍ରସିଦ୍ଧ ମନସା ଦେବୀ ମନ୍ଦିରରେ ରବିବାର ସକାଳେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ମଧ୍ୟରେ ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଦ୍ୟୁତ ଆଘାତ ଲାଗିବା ଯୋଗୁଁ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ଯାହାଫଳରେ ଦଳା ଚକଟା ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଆଜି ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଅଘଟଣକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। “ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ଖବର ଶୁଣି ମୁଁ ଦୁଃଖିତ। SDRF, ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।” ବୋଲି ଧାମି X ରେ ପୋଷ୍ଟ କରିଛନ୍ତି।