କୋରାପୁଟ, ୧୬/୮: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ ହୋଇଛି। କୋରାପୁଟରେ ଏକ ମଶାଲ ଶୋଭାଯାତ୍ରା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ସାମନାକୁ ଆସିଛି।
କୋରାପୁଟ ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏହି ରାଲି ଗୁଣ୍ଡିଚା ମନ୍ଦିରରୁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିଲା। ସେହି ବସ୍ ଷ୍ଟାଣ୍ଡରେ ଥିବା ଜଣେ କୁଲି କୃଷ୍ଣ ଚନ୍ଦ୍ର କୁଳଦୀପ ହଠାତ୍ ତାରାଙ୍କ ପାଖକୁ ଦୌଡ଼ି ଆସି ତାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ଗାଳି ଦେଇଥିଲେ। ଘଟଣା ସମୟରେ ତାରାଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ଅନ୍ୟାନ୍ୟ ଦଳୀୟ କର୍ମୀ ମଧ୍ୟ ସାମିଲ ଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ହସ୍ତକ୍ଷେପ କରି କୁଲଦୀପଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।
ତେବେ ଏହି ଘଟଣାରେ ଉଭୟ ପକ୍ଷ ଲିଖିତ ଅଭିଯୋଗ କରିଛନ୍ତି। ତାରାଙ୍କ ପିଏସଓ କୁଲଦୀପଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଥିବା ବେଳେ କୁଲଦୀପ ଅଭିଯୋଗ କରିଛନ୍ତି ଯେ ବାହିନୀପତି ଏବଂ ତାଙ୍କ ଭାଇ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି।
ତେବେ କୁଲଦୀପ ବର୍ତ୍ତମାନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କୁ ଖୁବ୍ ଶୀଘ୍ର କୋର୍ଟରେ ହାଜର କରାଯିବ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।