ପ୍ରକୃତି ଆଁରେ ପାକିସ୍ତାନ, ଚାରିଆଡ଼େ ହାହାକାର

୩୦୦ରୁ ଉର୍ଦ୍ଧ୍ବ ମୃତ, ମାଟି ତଳେ ଖୋଜା ଚାଲିଛି ଅନେକ ଜୀବନ

କରାଚୀ, ୧୬/୮: ପ୍ରକୃତି ଆଁରେ ପାକିସ୍ତାନ। ବନ୍ୟା ଯୋଗୁଁ ପୂରା ଦେଶ ଛାରଖାର। ଚାରିଆଡ଼େ ବନ୍ୟା ବିଭୀଷିକା। ଯୁଆଡ଼େ ଦେଖିବ ସିଆଡେ ଖୋଜା ଚାଲିଛି ଜୀବନ। ଲଗାତାର କିଛି ଦିନ ଧରି ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଯାଏଁ ମୃତ୍ୟୁ ସଂଖ୍ୟା ୩୦୦ ପାର ହେଲାଣି।

ପାକିସ୍ତାନର ଖାଇବର ପଖତୁନଖ୍ୱା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ପ୍ରଦେଶର ବାଜୌର, ବୁନେର, ସ୍ୱାତ, ମନହେରା, ଶାଙ୍ଗଲା, ତୋରଘର ଏବଂ ବାଟାଗ୍ରାମ ଜିଲ୍ଲାରେ ଭୟଙ୍କର ବାଦଲ ଫଟା ବର୍ଷା ଏବଂ ଆକସ୍ମିକ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦ୍ୱାରା ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଆକସ୍ମିକ ବନ୍ୟାରେ ୩୦୭ ଜଣଙ୍କର ମୃତ୍ୟୁ ହୋଇଛି। ବୁନେରରେ ଅତି କମରେ ୧୮୪ ଜଣଙ୍କର ମୃତ୍ୟୁ ହୋଇଛି। ଶାଙ୍ଗଲାରେ ୩୬, ମାନସେହରାରେ ୨୩, ସ୍ୱାତରେ ୨୨, ବାଜାଉରରେ ୨୧, ବଟ୍ଟାଗ୍ରାମରେ ୧୫, ଲୋୟର ଦିରରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆବୋଟାବାଦରେ ଜଣେ ଶିଶୁ ବୁଡ଼ି ଯାଇଛି।

ତେବେ ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ନିଖୋଜ ଥିବାରୁ ମୃତକ କିମ୍ବା ଆହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।