ଗାଡକଣରେ ନବନିର୍ମିତ ଆୟକର ବାସଗୃହ ପରିସରରେ ଉନ୍ମୋଚିତ ଫଳକ ଉଭାନ

ଆୟକର ବିଭାଗ ଅଧିକାରୀଙ୍କ ଉଦବେଗ ପ୍ରକାଶ

ଭୁବନେଶ୍ୱର, ୧୬/୮: ଭୁବନେଶ୍ୱର ସ୍ଥିତ କେନ୍ଦ୍ର ସରକାରଙ୍କ ଆୟକର ବିଭାଗର କର୍ମଚାରୀ ଏବଂ ଅଧିକାରୀମାନଙ୍କ ପାଇଁ ନବନିର୍ମିତ ଏକାମ୍ର ଆୟକର ଆବାସ ନାମିତ ସରକାରୀ ବାସଗୃହ, ଅତିଥି ଭବନ ଏବଂ କମ୍ୟୁନିଟି ସେଣ୍ଟରର ଗାଡକଣ ଛକସ୍ଥିତ କେଳୁଚରଣ ପାର୍କ ସାମ୍ନାରେ ୫ ଏକର ଜାଗାରେ ୨୦୨୦ ନଭେମ୍ବର ମାସରେ ଆରମ୍ଭ ହୋଇ ୨୦୨୪ ମସିହା ମାର୍ଚ୍ଚ ମାସ ୧୧ ତାରିଖରେ ଓଡ଼ିଶାର ତତ୍କାଳୀନ ପ୍ରଧାନ ଆୟକର ଆୟୁକ୍ତ ଭୁପାଲ ରେଡ୍ଡୀଙ୍କ ପୌରହିତ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରିଷଦ (ସବସିଡି)ର ତତ୍କାଳୀନ ଅଧ୍ୟକ୍ଷ ଶ୍ରୀ ନୀତିନ ଗୁପ୍ତାଙ୍କ କରକମଳରେ ଉଦଘାଟିତ ହୋଇ ଗ୍ରାନାଇଟ୍ ଉନ୍ମୋଚନ ଫଳକ ସ୍ଥାପିତ ହୋଇଥିଲା। ଏହି ଉତ୍ସବରେ ଆୟକର ବିଭାଗର କର୍ମଚାରୀ, ଅଧିକାରୀ, ଓକିଲ, ଚାଟାର୍ଡ ଆକାଉଣ୍ଟାଣ୍ଟ, ଗଣମାଧ୍ୟମର ପ୍ରତିନିଧି ଏବଂ ବିଭାଗର ଅନେକ ସେବା ନିବୃତ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏଥିରେ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ତତ୍କାଳୀନ ବିହାର, ଝାଡ଼ଖଣ୍ଡ, ଏବଂ ପଶ୍ଚିମବଙ୍ଗର ପ୍ରଧାନ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଦିଲ୍ଲୀସ୍ଥିତ ଆୟକର ଆସେସମେଣ୍ଟ ଏବଂ ଅପିଲ୍ ବିଭାଗର ପ୍ରଧାନ ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ଦିଲ୍ଲୀସ୍ଥିତ ଆନ୍ତର୍ଜାତୀୟ କର ବିଭାଗର ପ୍ରଧାନ ଆୟକର ଆୟୁକ୍ତ ସୀମାଞ୍ଚଳ ଦାଶ ଉପସ୍ଥିତ ଥିଲେ। ଏହା ସେ ସମୟରେ ସମସ୍ତ ଓଡ଼ିଆ ଏବଂ ଇଂରାଜୀ ଖବରକାଗଜରେ ବହୁଳ ଭାବରେ ପ୍ରସାରିତ ହୋଇଥିଲା।

ଏହା ପୂର୍ବରୁ ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଓଡ଼ିଶାର ତତ୍କାଳୀନ ପ୍ରଧାନ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସଙ୍କ ଦ୍ୱାରା ଏହି ଯୋଜନାର ଶିଳାନ୍ୟାସ କରାଯାଇଥିଲା। ଏଥିରେ ମଧ୍ୟ ଗ୍ରାନାଇଟ ପ୍ରସ୍ତରରେ ଖୋଦିତ ଫଳକ ସ୍ଥାପିତ ହୋଇଥିଲା ଏବଂ ସେ ସମୟରେ ବହୁ ଓଡ଼ିଆ ଓ ଇଂରାଜୀ ଖବରକାଗଜରେ ପ୍ରକାଶିତ ହୋଇଥିଲା।

ମାତ୍ର ଅତି ଦୁଃଖ, ପରିତାପ ଓ ଆଶ୍ଚର୍ଯ୍ୟର ବିଷୟ ଯେ, ଗତ ଅଗଷ୍ଟ ୪ ତାରିଖ ପୂର୍ବରୁ ଯୋଜନାର ଶିଳାନ୍ୟାସ କରାଯାଇଥିବା ସ୍ଥାନରେ ବର୍ତ୍ତମାନର ପ୍ରଧାନ ଆୟକର ଆୟୁକ୍ତଙ୍କ ଦ୍ୱାରା ଗୃହ ପ୍ରବେଶ ନାମରେ ଏକ ଖୋଦିତ ପ୍ରସ୍ତର ଶିଳା ଉଦଘାଟିତ ହୋଇଯାଇଛି। ଏହି ଫଳକରେ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ଉପସ୍ଥିତିରେ କରାଯାଇଛି ବୋଲି ଖୋଦିତ ହୋଇଛି, ଯିଏ କି ଏହି ଉତ୍ସବରେ ଅନୁପସ୍ଥିତ ଥିଲେ। ଏହି ଉଦଘାଟନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି। ମାତ୍ର ପୁରୁଣା ଶିଳାନ୍ୟାସ ଏବଂ ଉଦଘାଟନ ଉତ୍ସବର ୨ଟି ଯାକ ପ୍ରସ୍ତର ଫଳକ ଆଶ୍ଚର୍ଯ୍ୟଜନକ ଭାବରେ ଉଭାନ ହୋଇଯାଇଛି ଏବଂ କେଉଁଠାରେ ଦେଖିବାକୁ ମିଳୁନାହିଁ।

ଏହି ଘଟଣା ପାଇଁ ଆୟକର ବିଭାଗର ଅନେକ ବରିଷ୍ଠ ସେବା ନିବୃତ୍ତ ଏବଂ ସେବାରତ ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।