ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ

• ୭୯ତମ ‘ସ୍ୱାଧୀନତା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ • ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଶୁଣିଲେ

ତ୍ରିରଙ୍ଗା ହେଉଛି ଭାରତର ଏକତା, ବିବିଧତା ଏବଂ ଗର୍ବର ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬/୦୮: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୭୯ତମ ‘ସ୍ୱାଧୀନତା ଦିବସ’ ଅବସରରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ତ୍ରିରଙ୍ଗା ହେଉଛି ଭାରତର ଏକତା, ବିବିଧତା ଏବଂ ଗର୍ବର ଏକ ଜୀବନ୍ତ ପ୍ରତୀକ । ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ମନେ ରଖିବା ଏବଂ ଏକ ସମୃଦ୍ଧ, ସର୍ବଶ୍ରେଷ୍ଠ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବାର ପ୍ରତିଜ୍ଞା ନେବା ପାଇଁ ସେ ଆହ୍ୱାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ ଲାଲକିଲ୍ଲାରେ ସ୍ୱାଧୀନତା ଦିବସର ସ୍ୱତନ୍ତ୍ର ଉତ୍ସବରେ ସାମିଲ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣକୁ ଶୁଣିବା ସହ ପ୍ରଶଂସା କରିଥିଲେ ।

ସେ କହିଥିଲେ ସ୍ୱାଧୀନତା ଦିବସର ଐତିହାସିକ ଅବସରରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତିଶାଳୀ ଭାଷଣ ‘ବିକଶିତ ଭାରତ ୨୦୪୭’ ପ୍ରତି ୧୪୦ କୋଟି ଭାରତୀୟଙ୍କ ଅଗାଢ଼ ବିଶ୍ୱାସ ଏବଂ ଦୃଢ ସଂକଳ୍ପକୁ ଆହୁରି ମଜଭୂତ୍ କରିଛି । ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ଜାତୀୟ ଭୂତଳ ଜଳ ଅନୁସନ୍ଧାନ ମିଶନ, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର, ହାଇ ପାଓ୍ୱାର ଡେମୋଗ୍ରାଫି ମିଶନ, ୨୦୪୭ ପର୍ଯ୍ୟନ୍ତ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ରିଫର୍ମ ଟ୍ୟାସ୍କ ଫୋର୍ସ ଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ, ମେଡ୍ ଇନ୍ ଇଣ୍ଡିଆ ଜେଟ୍ ଇଞ୍ଜିନର ଆହ୍ୱାନରୁ ଆରମ୍ଭ କରି ଭୋକାଲ୍ ଫର୍ ଲୋକାଲକୁ ସମର୍ଥନ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ଭାଷଣ ସମସ୍ତ ଦେଶବାସୀଙ୍କୁ ଦେଶର ପ୍ରଗତି ପାଇଁ ଏକ ନୂତନ ଦିଶା ନିର୍ଦ୍ଧାରିତ କରିବା ପାଇଁ ଏକତ୍ରିତ କରିବା ସହ ପ୍ରେରଣା ଦେଇଛି । ଏହି ସ୍ୱାଧୀନତା ଦିବସରେ ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ ୨୦୪୭’ ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତିଜ୍ଞା ନେବା ଏବଂ ଏକ ସମୃଦ୍ଧ, ଶ୍ରେଷ୍ଠ ଏବଂ ଆତ୍ମନିର୍ଭର ରାଷ୍ଟ୍ର ଗଠନରେ ସହଯୋଗୀ ହେବା ପାଇଁ ଅଂଶୀଦାର ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।