ଓଡିଆ ଅଧ୍ୟାପକ ତଥା ଓଡିଶୀ ନୃତ୍ୟଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ସାହାଣୀ ସମ୍ବର୍ଦ୍ଧିତ
ଓଡ଼ିଆ ଭାଷା ଓ ଓଡିଶୀ ନୃତ୍ୟରେ ସାମଗ୍ରିକ କୃତିତ୍ଵ ପାଇଁ ନଗର ଉନ୍ନୟନ ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
କଟକ, ୧/୯: ଉତ୍କୃଷ୍ଟ କଳା ସାହିତ୍ୟର ରାଜ୍ୟ ଓଡ଼ିଶାର ମାଧୁର୍ଯ୍ୟମୟ ଓଡିଶୀ ନୃତ୍ୟ ଓ ମଧୁର ଭାଷା ଓଡ଼ିଆ ଆଜି ସାରା ବିଶ୍ବବାସୀଙ୍କୁ ଆମୋଦିତ କରୁଥିବା ସମୟରେ ଏହି ଦୁଇଟି ଅଧ୍ୟାୟରେ ଜୀବନ ବିତାଉଥିବା ଓଡ଼ିଆ ଅଧ୍ୟାପକ ତଥା ଆନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ସାହାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ବାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ନିଗମ ତରଫରୁ ଓଡ଼ିଆ ଭାଷା ଓ ଓଡିଶୀ ନୃତ୍ୟରେ ସାମଗ୍ରିକ କୃତିତ୍ଵ ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପୁଷ୍ପଗୁଚ୍ଛ, ମାନପତ୍ର, ଉତ୍ତରୀୟ, ଓ ଉପଢୌକନରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସହସ୍ରାଧିକ ଦର୍ଶକ ଓ ବୁଦ୍ଧିଜିବୀଙ୍କ କରତାଳିରେ ସହିଦଭବନର ଭରପୁର ପ୍ରେକ୍ଷାଳୟରେ କଟକ ମେୟର ସୁବାସ ସିଂ, ଜିଲ୍ଲାପାଳ ଦତ୍ତାତୀୟ ଭାଉ ସାହେବ, ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋଷ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ଡିସିପି ଖିଲାରୀ ରିଷିକେଶ ଅତିଥିଗଣ ଡକ୍ଟର ଚିତ୍ତରଞ୍ଜନଙ୍କ ନୃତ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ଦେଶ ବିଦେଶର ବିଭିନ୍ନ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ କର୍ମଶାଳା, ସମ୍ମିଳନୀ ଆୟୋଜନ କରି ଯୁବଗୋଷ୍ଠୀଙ୍କ ମଧ୍ଯରେ ଓଡ଼ିଆ ଭାଷା ସାହିତ୍ୟ ଓ ଓଡିଶୀ ନୃତ୍ଯର ପ୍ରଚାର ପ୍ରସାର କରି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାରେ ଲାଗିଛନ୍ତି ଡକ୍ଟର ଚିତ୍ତରଞ୍ଜନ ସାହାଣୀ।