ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର ୨୫।୦୯: ଏବେ କାଁ ଭାଁ ବର୍ଷା ହେବ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କିନ୍ତୁ ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ତା’ ପ୍ରଭାବରେ ଦିନେ ଦୁଇଦିନ ବର୍ଷା ହେବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଚିନ୍ତାର ବିଷୟ ହେଲା, ଦୁର୍ଗାପୂଜା ବେଳକୁ ବଡ଼ ବର୍ଷା ହୋଇପାରେ । ଏମିତି ଆକଳନ ଦେଖାଉଛି ପାଣିପାଗ ମଡେଲ। ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଯଦି ଏମିତି ହେବ, ତେବେ ବର୍ଷାରେ ଭିଜିଯାଇପାରେ ଦଶହରା ।

ଦୁଇ ବର୍ଷର କରୋନା ମହାମାରୀ କଟକଣା ପାଇଁ ନିରାଡ଼ମ୍ବର ଥିଲା ଦୁର୍ଗାପୂଜା । ନା ସାଜସଜ୍ଜା ନା ଥିଲା ଗହଳି । ଏ ବର୍ଷ ସବୁଠି ପାର୍ବଣ ପାଇଁ ମହାଆୟୋଜନ । ଏବେଠାରୁ ପାର୍ବଣର ବାସ୍ନା ବାରି ହେଲାଣି । ଲୋକେ ବି ଆଶା ବାନ୍ଧିଛନ୍ତି, ଏବର୍ଷ ପୂଜାକୁ ଜୋରଦାର ଭାବେ ପାଳନ କରି ଦୁଇବର୍ଷର ଦୁଃଖକୁ ଭୁଲିଯିବେ । ମାତ୍ର ପାଣିପାଗର ପ୍ରାକ୍‌ ଆକଳନ କହୁଛି, ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ ।