ଭିକିଙ୍କ ଉପରେ ଭରସା ନାହିଁ

ମୁମ୍ଵାଇ ୨୫।୦୯: ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ରେ ଶେଷଥର ପାଇଁ ବଡ଼ ପର୍ଦ୍ଦାରେ ଦେଖିବାକୁ ମିଳିଥିଲେ ଭିକି କୌଶଲ । ୨୦୧୯ରେ ଏ ଫିଲ୍ମଟି ମୁକ୍ତିଲାଭ କରିଥିଲା । ଏଥିରେ ଭିକିଙ୍କ ଅଭିନୟକୁ ବେଶ୍‌  ପ୍ରଶଂସା କରିଥିଲେ ଦର୍ଶକ ଏବଂ ସିନେ ସମୀକ୍ଷକ । ଗତ ବର୍ଷ କ୍ୟାଟ୍ରିନା କୈଫ୍‌ଙ୍କ ସହ ତାଙ୍କର ବିବାହ  ହୋଇସାରିଛି । ଘର ସଂସାର ମଧ୍ୟ ଠିକ୍‌ ଚାଲିଛି । ମାତ୍ର ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପରଠୁ ବଡ଼ ପରଦାରୁ  ଗାଏବ୍‌ ହୋଇଯାଇଛନ୍ତି ଭିକି ।  ଏହା ପରଠୁ ତାଙ୍କ ଅଭିନୀତ  ଆଉ କୌଣସି ସିନେମା ଆସିନାହିଁ  ପ୍ରେକ୍ଷାଳୟକୁ ।

ଭିକିଙ୍କ ଅଭିନୀତ  ସିନେମାରୁ ପ୍ରଯୋଜକ ଲାଭ  କରୁଛନ୍ତି, ମାତ୍ର ଭିକିଙ୍କୁ ବଡ଼  ପରଦାରେ ଦେଖିବାରୁ ବଞ୍ଚିତ  ହେଉଛନ୍ତି ଦର୍ଶକ । ଅର୍ଥାତ୍‌  ଭିକିଙ୍କ ଅଭିନୟ କ୍ୟାରିୟର ଠିକ୍‌  ଦିଗରେ ଗତି କରୁନାହିଁ ବୋଲି ମତ ଦେଇଛନ୍ତି ସମୀକ୍ଷକ । ‘ଉରି: ଦ ସର୍ଜିକାଲ୍‌  ଷ୍ଟ୍ରାଇକ୍‌’ ପରେ ଭିକିଙ୍କ ‘ଭୂତ- ପାର୍ଟ ୱାନ୍‌: ଦ ହଣ୍ଟେଡ୍‌ ସିପ୍‌’ ବକ୍ସ ଅଫିସ୍‌ରେ  ଫ୍ଲପ୍‌ ସାବ୍ୟସ୍ତ ହେଲା । ଦର୍ଶକ, ସମୀକ୍ଷକ ଏହାକୁ ପ୍ରତ୍ୟାଖ୍ୟାନ କଲେ । ଏହାପରେ ଭିକିଙ୍କ ଆଉ ଏକ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂହ’ ଓଟିଟି  ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ରେ ରିଲିଜ୍‌ ହେଲା । ମାତ୍ର ଏ ଫିଲ୍ମଟି  ମଧ୍ୟ ବୃହତ୍ତର ଦର୍ଶକଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ । ଭିକିଙ୍କ  ଅଭିନୟକୁ ପ୍ରଶଂସା କରାଯାଇଥିଲେ ହେଁ ଏକ ନିର୍ଦ୍ଦିଷ୍ଟ ବର୍ଗର ଦର୍ଶକଙ୍କ  ଭିତରେ ସୀମିତ ରହିଗଲା ଫିଲ୍ମର ଚର୍ଚ୍ଚା । କରନ୍‌ ଜୋହରଙ୍କ  ଧର୍ମା ପ୍ରଡକ୍‌ସନରେ ପ୍ରସ୍ତୁତ ଭିକିଙ୍କ ଫିଲ୍ମ ‘ଗୋବିନ୍ଦା ମେରା  ନାମ୍‌’କୁ ନିର୍ମାତା ରିଲିଜ୍‌ କରିବା ପୂର୍ବରୁ ତାହାର ସ୍ୟାଟେଲାଇଟ୍‌  ଓ ଡିଜିଟାଲ୍‌ ରାଇଟ୍‌ସ ବିକ୍ରି କରି ନିଜକୁ ଆର୍ଥିକ ଦିଗରେ  ସୁରକ୍ଷିତ କରିସାରିଛନ୍ତି ।