କିଭ୍, ୪/୧୦: ୟୁକ୍ରେନର ଖାରକିଭ-ପୋଲଟାଭା ଅଞ୍ଚଳର ଦେଶର ସର୍ବବୃହତ ଗ୍ୟାସ ଉତ୍ପାଦନକାରୀ ନାଫ୍ଟୋଗାଜ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ପରେ, ରୁଷ ପୁଣି ଆଉ ଥରେ ବଡ଼ ଧରଣର ଆକ୍ରମଣ କରିଛି। ଉତ୍ତର ସୁମି ଅଞ୍ଚଳର ଶୋଷ୍ଟକା ରେଳ ଷ୍ଟେସନରେ ଏକ ଡ୍ରୋନ୍ ଆକ୍ରମଣ କରିଛି ରୁଷ। ଯେଉଁଥିରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏହି ଆକ୍ରମଣକୁ “କ୍ରୁର ଏବଂ ଆତଙ୍କବାଦ” ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ସିଧାସଳଖ ଏକ ଯାତ୍ରୀବାହୀ ଟ୍ରେନ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା।
ରାଷ୍ଟ୍ରପତି ଜେଲେନ୍ସକି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଜଳୁଥିବା ବଗି ଦେଖାଯାଉଛି। ସେ କହିଛନ୍ତି ଯେ ଆକ୍ରମଣରେ ଅନେକ ରେଳ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି, ଏବଂ ବିଶ୍ୱର ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ସେହି ଅଞ୍ଚଳର ରାଜ୍ୟପାଳ ଓଲେହ ହ୍ରିହୋରୋଭ କହିଛନ୍ତି ଯେ ଏକ ଋଷୀୟ ଡ୍ରୋନ୍ ଶୋଷ୍ଟକାରୁ କିଭ୍ ଯାତ୍ରା କରୁଥିବା ଏକ ଟ୍ରେନକୁ ଟାର୍ଗେଟ କରିଥିଲା। ସ୍ଥାନୀୟ ପ୍ରଶାସନ ମୁଖ୍ୟ ଓକସାନା ତାରାସ୍ୟୁକ୍ କହିଛନ୍ତି ଯେ ଡାକ୍ତର ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।
ପୂର୍ବରୁ, ରୁଷ ୟୁକ୍ରେନର ପାୱାର ଗ୍ରୀଡ୍ ଏବଂ ଗ୍ୟାସ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୫୦ ହଜାର ଘରର ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଥିଲା। ୟୁକ୍ରେନୀୟ ସେନା ଏହା ମଧ୍ୟ ଦାବି କରିଛି ଯେ ରୁଷ ଉତ୍ତର-ପଶ୍ଚିମ ଲେନିନଗ୍ରାଡ୍ ଅଞ୍ଚଳରେ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ନାଗରିକ ଏବଂ ଭିତ୍ତିଭୂମି ସେବାକୁ ଗୁରୁତର ଭାବରେ ପ୍ରଭାବିତ କରିଛି।