ଦାର୍ଜିଲିଂ, ୫/୧୦: ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ମିରିକରେ ପ୍ରବଳ ବର୍ଷା ହେବା ପରେ ଭୂସ୍ଖଳନ ହୋଇଛି। ଭୂସ୍ଖଳନରେ ଏକ ବ୍ରିଜ ଭୁଶୁଡ଼ି ଯିବାରୁ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୮ ଜଣ ଆହତ ହୋଇଛନ୍ତି। ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ଭୁଶୁଡ଼ି ପଡ଼ିଛି।
ପ୍ରବଳ ବର୍ଷା ଯୋଗୁଁ କର୍ସିଓଙ୍ଗ ନିକଟବର୍ତ୍ତୀ ଜାତୀୟ ରାଜପଥ ୧୧୦ ପାର୍ଶ୍ୱରେ ଥିବା ହୁସେନ ଖୋଲାରେ ମଧ୍ୟ ଏକ ଭୂସ୍ଖଳନ ଘଟିଥିବା ସୂଚନା ମିଳିଛି, ଯାହା ସିଲିଗୁଡ଼ି ଏବଂ ଦାର୍ଜିଲିଂ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ କରିଦେଇଛି। ପ୍ରବଳ ବର୍ଷା ପରେ ତିସ୍ତା ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ସିଲିଗୁଡ଼ିରୁ ସିକିମକୁ ଯାଇଥିବା NH ୧୦ ବନ୍ଦ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବିତ ଲୋକଙ୍କୁ କେନ୍ଦ୍ର ପକ୍ଷରୁ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।
ଏ ନେଇ ଏକ୍ସରେ ଲେଖିଛନ୍ତି, “ଦାର୍ଜିଲିଂରେ ଏକ ପୋଲ ଭୁଶୁଡ଼ି ପଡିବା ଯୋଗୁଁ ଘଟିଥିବା ଦୁର୍ଘଟଣାରେ ଗଭୀର ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଆମେ ପ୍ରତିବଦ୍ଧ,” ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି।