ମିଛ କହୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ବିଜେଡି

‘ଲକ୍ଷପତି ଦିଦି ହେଉଛନ୍ତି ନବୀନ ବାବୁଙ୍କ ବହିରେ ବିଜେପି ମଲାଟ’

ଭୁବନେଶ୍ୱର, ୨୫/୧୦: ଆଜି ନୂଆପଡାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଭିଭାଷଣକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁଲତା ଦେଓ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଭିଭାଷଣ ତଥ୍ୟ ଆଧାରିତ ନୁହେଁ, ସେ ନୂଆପଡା ଓ ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ।

ଶ୍ରୀମତୀ ଦେଓ କହିଥିଲେ ଯେ, ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ଅଛନ୍ତି । କିନ୍ତୁ ୧୨ ଅଗଷ୍ଟ ୨୦୨୫, ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଏହି ସଂଖ୍ୟା ୭ ଲକ୍ଷ ୮୦ ହଜାର ଦର୍ଶାଯାଇଥିବା ବେଳେ ଲକ୍ଷପତି ଦିଦିଙ୍କ ସଂଖ୍ୟାକୁ ନେଇ ଶ୍ରୀମତୀ ପରିଡା ଡାହା ମିଛ କହୁଛନ୍ତି । ଲକ୍ଷପତି ଦିଦି ହେଉଛନ୍ତି ନବୀନ ବାବୁଙ୍କ ବହିରେ ବିଜେପି ମଲାଟ । ମିଶନ ଶକ୍ତିରେ ସଶକ୍ତ ମହିଳାଙ୍କୁ ଲକ୍ଷପତି ଦିଦି କହୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଡବଲ ଇଞ୍ଜିନ ସରକାର ।

ଶ୍ରୀମତୀ ଦେଓ ଆହୁରି କହିଥିଲେ, ବିଜେଡିକୁ ନୂଆପଡାରୁ ପ୍ରାର୍ଥୀ ମିଳିଲେ ନାହିଁ, ତେଣୁ ବାହାରୁ ପ୍ରାର୍ଥୀ ଆଣିଛନ୍ତି ବୋଲି ପ୍ରଭାତୀ ପରିଡ଼ା ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ । ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଁ ଘର ନୂଆପଡ଼ା । ମାଟିର ଝିଅ ଓ ପଶ୍ଚିମ ଓଡ଼ିଶାର ଟାଣୁଆ ମହିଳା ନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯଦି ବାହାରି, ତେବେ ଭୁବନେଶ୍ୱର ସାଂସଦ, ପୁରୀ ସାଂସଦ, କେନ୍ଦ୍ରାପଡ଼ା ସାଂସଦ ଓ ସମ୍ବଲପୁର ସାଂସଦ କ’ଣ ଭିତିରି । ନୂଆପଡ଼ା ଉପନିର୍ବାଚନରେ ବିଜେପିର ଆସନ୍ନ ପରାଜୟକୁ ଦେଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ।