ଏକାଦଶୀରେ ବଡ ଅଘଟଣ: ମନ୍ଦିରରେ ଦଳାଚକଟା, ଏକାଧିକ ମୃତ

ଆହତଙ୍କୁ ମେଡିକାଲରେ ଭର୍ତ୍ତି; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକାକୁଲମ, ୦୧/୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାସିବୁଗା ସହରରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭୟଙ୍କର ଦଳାଚକଟା ଘଟି ଅତି କମରେ ନଅ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି।

ଆଜି ଏକାଦଶୀ ଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଥିଲା। ଯାହା ଫଳରେ ପ୍ରବଳ ଭିଡ ହୋଇଥିଲା। ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଭିଡ ନିୟନ୍ତ୍ରଣ ବିଫଳ ହୋଇଥିଲା। ତେଣୁ ଅଚାନକ ଦଳାଚକଟା ପରିସ୍ଥିତି ଉପୁଜିଥିଲା।

ଏଥିରେ ଅନେକ ଭକ୍ତ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟରରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଶ୍ରୀକାକୁଲମ ଜିଲ୍ଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେ ଦଳାଚକଟା ଯୋଗୁଁ ମୁଁ ଗଭୀର ମର୍ମାହତ। ଏହି ଦୁଃଖଦ ଘଟଣାରେ ଜୀବନହାନି ଅତ୍ୟନ୍ତ ହୃଦୟ ବିଦାରକ। ମୁଁ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଆହତମାନଙ୍କ ପାଇଁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ସ୍ଥାନୀୟ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ଅନୁରୋଧ କରିଛି।”