ନ୍ୟୁୟର୍କ, ୦୫/୧୧: ଆମେରିକାର ଲୁଇସଭିଲ୍ ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ UPS ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। UPS ଏକ ପାର୍ସଲ କମ୍ପାନୀ। ବିମାନଟି ହୋନୋଲୁଲୁ ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧ରୁ ଅଧିକ ଆହତ ହୋଇଛନ୍ତି।
ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଅନୁଯାୟୀ, ଏହି UPS MD-11 ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି। FAA କହିଛି ଯେ ଦୁର୍ଘଟଣାର ତଦନ୍ତ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଦ୍ୱାରା କରାଯାଉଛି।
ବିମାନଟି ଖସି ପଡ଼ିବା ମାତ୍ରେ ଏଥିରେ ନିଆଁ ଲାଗି ଯାଇଥିଲା। ଏଥିରେ ୧,୪୪,୦୦୦ ଲିଟର ଇନ୍ଧନ ଥିଲା। ଯାହା ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ପ୍ରାୟ ୧ ମାଇଲ ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା। ଦୁର୍ଘଟଣା ପରେ କର୍ତ୍ତୃପକ୍ଷମାନେ ଆକାଶ ମାର୍ଗ ବନ୍ଦ କରିଦେଇଥିଲେ।
UPS ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିଲେ।
କେଣ୍ଟୁକି ରାଜ୍ୟପାଳ ଆଣ୍ଡି ବେସିଅର କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ତିନି ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି ଏବଂ ୧୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି।
ଲୁଇସଭିଲ୍ ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି UPS ପାଇଁ ବିଶ୍ୱର ସର୍ବବୃହତ କେନ୍ଦ୍ର। ଏଠାରେ କମ୍ପାନୀର ୱାର୍ଲ୍ଡପୋର୍ଟ ଅବସ୍ଥିତ, ଯାହା ପାଞ୍ଚ ନିୟୁତ ବର୍ଗଫୁଟ ପରିବ୍ୟାପ୍ତ।
ରିପୋର୍ଟ ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ MD-11F ମଡେଲ ଥିଲା, ଯାହା ମୂଳତଃ ମ୍ୟାକଡୋନେଲ ଡଗଲାସ ଦ୍ୱାରା ୧୯୯୧ ମସିହାରେ ନିର୍ମିତ ହୋଇଥିଲା ଏବଂ ପରେ ୨୦୦୬ ମସିହାରେ ବୋଇଂ ଦ୍ୱାରା ଅଧିଗ୍ରହଣ କରାଯାଇଥିଲା। ଏହି ବିମାନଟି ମୁଖ୍ୟତଃ ମାଲବାହୀ ପାଇଁ ବ୍ୟବହୃତ ହୁଏ ଏବଂ UPS, FedEx ଏବଂ Lufthansa Cargo ଭଳି କମ୍ପାନୀଗୁଡ଼ିକ ଦ୍ୱାରା ଉଡ଼ାଣ କରାଯାଏ।